ଟିକସ ଗଣୁଛନ୍ତି, ସୁବିଧା ମିଳୁନି

ରାଉରକେଲା,୧୭।୩(ଦିନେଶ ମିଶ୍ର)ରାଉରକେଲା ସହରରେ ବ୍ୟବସାୟୀଙ୍କଠାରୁ ଯେଉଁ ପରିମାଣରେ ଟିକସ ଆଦାୟ ହେଉଛି ସେହି ଅନୁସାରେ ମୌଳିକ ସୁବିଧା ସୁଯୋଗ ମିଳୁନି । ଫଳରେ ବ୍ୟବସାୟୀମାନେ ବ୍ୟଧ୍ୟହୋଇ ରାସ୍ତାକଡ଼ରେ ବସି ବ୍ୟବସାୟ କରୁଛନ୍ତି। ଏଭଳି ଦୃଶ୍ୟ ପାନପୋଷ ସ୍ଥିତ ଶୁକ୍ରବାର ହାଟ ଓ କଳିଙ୍ଗ ବିହାର ରାସ୍ତାକଡ଼ରେ ଦେଖିବାକୁ ମିଳିଛି।
ପାନପୋଷ ଓ କଳିଙ୍ଗ ବିହାର ଅଞ୍ଚଳ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନରେ ଯାଉଛି। ଏହି ଅଞ୍ଚଳରେ ସପ୍ତାହର ଶୁକ୍ରବାର ଦିନ ହାଟ ବସିଥାଏ। ଏହି ହାଟକୁ ରାଉରକେଲା ସମେତ ଏହି ହାଟକୁ ନୂଆଗଁା, ବିଶ୍ରା, ବିରକେରା, ଭାଲୁଲତା, ସୋନୁଆ, ବୀରମିତ୍ରପୁର, ଜଲଦା ଅଞ୍ଚଳର ଚାଷୀମାନେ ନିଜ ଉତ୍ପାଦିତ ପରିବା ଆଣି ବିକ୍ରି କରିଥାନ୍ତି। ହାଟକୁ ଆସୁଥିବା ବିଭିନ୍ନ ବ୍ୟବସାୟୀମାନଙ୍କଠାରୁ ଆରଏମ୍‌ସି ୧୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ଟିକସ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଆରଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କ ପାଇଁ କୌଣସି ପିଣ୍ଡି କି ବିଦ୍ୟୁତ୍‌ ବ୍ୟବସ୍ଥା କରିନାହାନ୍ତି। ଏହି ବ୍ୟବସାୟୀମାନେ ଖୋଲା ଆକାଶ ତଳେ ରାସ୍ତାକଡରେ ବସି ବ୍ୟବସାୟ କରିଥାନ୍ତି। ରାସ୍ତାକଡରେ ପରିବା ହାଟ ଯୋଗୁ ଉକ୍ତ ରାସ୍ତାରେ ବିଭିନ୍ନ ସମୟରେ ପରିବା କିଣିବାକୁ ଆସୁଥିବା ଗ୍ରାହକମାନଙ୍କ ଗାଡି ପାର୍କିଂ ହୋଇଥାଏ। ଫଳରେ ରାସ୍ତା ସଙ୍କୁଚିତ ହେବା ସାଙ୍ଗକୁ ଯାତାୟାତରେ ବାଧା ସୃଷ୍ଟି ହୋଇଥାଏ। ସେହିପରି ପରିବା ହାଟ ଯୋଗୁ ସ୍ଥାୟୀ ଦୋକାନୀମାନେ ହଇରାଣ ହେଉଛନ୍ତି। ଏଠାକାର ସ୍ଥାୟୀ ବ୍ୟବସାୟୀଙ୍କ ଦୋକାନ ସମ୍ମୁଖରେ ପରିବା ବ୍ୟବସାୟୀମାନେ ବସି ଉକ୍ତ ଦୋକାନ ପଥକୁ ଅବରୋଧ କରୁଥିବା ଅଭିଯୋଗ ହୋଇଛି। ହାଟକୁ ଆସୁଥିବା ଚାଷୀମାନଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇନାହିଁ। ଫଳରେ ସେମାନେ ରାଉରକେଲାରୁ ବୀରମିତ୍ରପୁରକୁ ସଂଯୋଗ କରୁଥିବା ରେଳ ଧାରଣା ଉପରେ ଶୌଚ ହେଉଛନ୍ତି। ଆରଏମ୍‌ସି ଏହି ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଟିକସ ଆଦାୟ କରୁଥିଲେ ମଧ୍ୟ ସେମାନଙ୍କ ପାଇଁ ପାନୀୟଜଳ, ବିଜୁଳି, ଶୌଚାଳୟ ଓ କୌଣସି ପିଣ୍ଡି ବ୍ୟବସ୍ଥା କରିନାହିଁ। ଫଳରେ ଖରା, ବର୍ଷା, ଶୀତରେ ବସି ଏହି ବ୍ୟବସାୟୀମାନେ ବ୍ୟବସାୟ କରି ଆରଏମ୍‌ସିକୁ ଟିକସ ଗଣୁଥିବା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ଆରଏମ୍‌ସି ପକ୍ଷରୁ ଶୁକ୍ରବାର ହାଟ ନିକଟରେ ଆଜିକୁ ୧୦ ବର୍ଷ ତଳେ ୫୦ ଜଣ ବ୍ୟବସାୟୀଙ୍କ ପାଇଁ ପିଣ୍ଡିର ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଉକ୍ତ ପିଣ୍ଡି ଉପରେ ସ୍ଥାନୀୟ ଲୋକେ ନିଜର ଲୁଗାପଟା ଶୁଖାଇବା ସାଙ୍ଗକୁ ଓ ଘରୋଇ ଉପକରଣ ଇଟା, ବାଲି, ଗୋଡି ପକାଇ କବ୍‌ଜା କରି ରଖିଛନ୍ତି। ଏହି ପିଣ୍ଡିକୁ ପୁନରୁଦ୍ଧାର କରିବା ପାଇଁ ବ୍ୟବସାୟୀମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବା ବ୍ୟବସାୟୀ ମଙ୍ଗଲୁ କିଷାନ କହିଛନ୍ତି। ଏଥିପ୍ରତି ଆରଏମ୍‌ସି କର୍ତ୍ତୃପକ୍ଷ ଦୃଷ୍ଟିଦେବା ଲାଗି ଦାବି ହେଉଛି। ଏ ନେଇ ଆରଏମ୍‌ସି ଉପଆୟୁକ୍ତ ପଲ୍ଲବୀ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ପାନପୋଷ ଶୁକ୍ରବାର ହାଟରେ ଅବ୍ୟବସ୍ଥା ନେଇ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଆଗାମୀ ଦିନରେ ଆମେ ଏନଫୋର୍ସମେଣ୍ଟ ଟିମ୍‌ ପଠାଇ ଉକ୍ତ ଅଞ୍ଚଳର ରାସ୍ତାକଡ଼ରେ ବସୁଥିବା ବ୍ୟବସାୟୀଙ୍କ ସମସ୍ୟା ବିଷୟରେ ବୁଝିବା ପରେ ତୁରନ୍ତ ପଦକ୍ଷେପ ନେବୁ ବୋଲି ନାୟକ କହିଥିଲେ।