ଆଗକୁ ପୟାଶ୍ରାଦ୍ଧ, ବିକ୍ରି ହେଲାଣି ପିପେଇ

ବରୀ,୨୧ା୧୦(ଡି.ଏନ.ଏ.):ଆଗକୁ ଆସୁଛି ପୟାଶ୍ରାଦ୍ଧ। ଏହି ଦିବସରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଇ ସେମାନଙ୍କ ବଂଶଧରମାନେ କୁହନ୍ତି ‘ବଡ଼ବଡୁଆ ହୋ, ଅନ୍ଧାରରେ ଆସିଥିଲ ଆଲୁଅରେ ଯାଆ’। ପରମ୍ପରା ଅନୁଯାୟୀ କାଉଁରିଆ କାଠି ଏହି ଦିବସ ପାଇଁ ଆବଶ୍ୟକ ହୋଇଥାଏ। ଯିଏ ଯେଉଁ ପଦ ପଦବୀରରେ ଥାଆନ୍ତୁ ନା କାହିଁକି କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ସେମାନଙ୍କ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବା ଆଜି ଓଡ଼ିଆ ସଂସ୍କୃତି ଓ ପରମ୍ପରା ଭିତରେ ସୀମିତ ରହିଛି। ସମୟକ୍ରମେ ନଳିତା ଚାଷ ବରୀ ବ୍ଲକ୍‌ ଅଞ୍ଚଳରେ ଲୋପ ପାଇବାକୁ ଯାଉଥିବା ବେଳେ ଏହି ପର୍ବକୁ ଆଖି ଆଗରେ ରଖି ବ୍ଲକ୍‌ ଅଧୀନ ରତ୍ନଗିରି ପଞ୍ଚାୟତର ଅଲିଆବାଦ, ରାଉତ ସାହି, ପଟଣା ଆଦି ଅଞ୍ଚଳରେ ନଳିତା ଚାଷୀ ଘରକୁ ଘର ବୁଲି କାଉଁରିଆ(ପିପେଇ) କାଠି ବିକ୍ରି କଲେଣି। ଲୋକମାନେ ଏହାକୁ ଆଗ୍ରହର ସହ କ୍ରୟ କରୁଥିବା ଦେଖିବାକୁ ମିଳିଛି। ତେବେ ସମୟ ବଦଳିଥିଲେ ବି ଓଡ଼ିଶା ଲୋକଙ୍କ ପର୍ବ ପର୍ବାଣି ସତେଯେମିତି ତାଙ୍କ ପରିଚୟ ସୃଷ୍ଟି କ୍ଷେତ୍ରରେ ଏକ ସ୍ବତନ୍ତ୍ରତା ବଜାୟ ରଖିଛି ବୋଲି ପ୍ରାକ୍ତନ ପ୍ରଧାନଶିକ୍ଷକ ଗୋପବନ୍ଧୁ ଦାସ, ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ ଆବାହକ ତଥା ଶିକ୍ଷକ ନେତା ଲୋକନାଥ ଦାସ, ପ୍ରାକ୍ତନ ପ୍ରଧାନଶିକ୍ଷକ କର୍ଣ୍ଣଚନ୍ଦ୍ର ଘଡ଼ାଇ, କୁଞ୍ଜବିହାରୀ ଦାଶ, ମକରଧ୍ୱଜ ଘଡ଼ାଇ, ଅନିରୁଦ୍ଧ ମଲ୍ଲ ଓ ଯୁବ ସାମାଜିକ କର୍ମୀ ପବିତ୍ର ଶାନ୍ତି ପ୍ରମୁଖ ମତ ରଖିଛନ୍ତି।