ପୁଣି ରିମାଣ୍ଡରେ ଗଲେ ପାୟଲ-ବିକାଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ସିଭି ରମଣ ବିଶ୍ୱବିଦ୍ୟାଳୟର ୯୭ ଲକ୍ଷ ଟଙ୍କା ହଡପ ମାମଲାରେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଏବଂ ପ୍ରେମିକ ବିକାଶ କୁମାର ପୁଣି ରିମାଣ୍ଡରେ ଯିବେ। ଏହି ପ୍ରେମୀ ଯୁଗଳଙ୍କୁ ତମାଣ୍ଡୋ ଥାନା ପୋଲିସ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେବ। ସେମାନଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଏସ୍‌ଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ କଲେଜ କର୍ମଚାରୀଙ୍କ ଭୂମିକା ନେଇ ପୋଲିସ ତଦନ୍ତ କରିବ। ସାଇବର ଏକ୍ସପର୍ଟଙ୍କ ଜରିଆରେ ଟଙ୍କା ହଡ଼ପ ନେଇ ଅନେକ ତଥ୍ୟ ମିଳିଥିବା ବେଳେ ଅଧିକ ତଥ୍ୟ ଦେବାକୁ ହ୍ବାଟ୍ସଆପକୁ ଚିଠି ଲେଖିଛି କମିଶନରେଟ ପୋଲିସ । ତେବେ ପ୍ରଥମ ପର୍ଯ୍ୟାୟରେ ୩ ଦିନିଆ ରିମାଣ୍ଡ ଲାଗି ଅନୁମତି ମିଳିଥିଲା।

ସୂଚନାଯୋଗ୍ୟ, ଉଭୟ ବିକାଶ ଏବଂ ପାୟଲ ହଡ଼ପ ଟଙ୍କାରେ ମଉଜ କରୁଥିଲେ। ଚେନ୍ନାଇ , ବେଙ୍ଗାଲୁରୁ, ଜମ୍ମୁକଶ୍ମୀର ଆଦି ସ୍ଥାନକୁ ବୁଲିବାକୁ ଯାଉଥିଲେ। ଏପରିକି ପ୍ରେମିକା ଦେଇଥିବା ଟଙ୍କାରୁ ପ୍ରାୟ ୫୦ ଲକ୍ଷ ଟଙ୍କା କେବଳ ଜୁଆରେ ଉଡାଇଥିବା ବିକାଶ ପୋଲିସ ଆଗରେ ସ୍ବୀକାର କରିଛନ୍ତି।