‘ନିର୍ଦ୍ଧାରିତ ସମୟରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଅର୍ଥ ଦିଅ’

ଭୁବନେଶ୍ୱର,୨୩ା୮(ବ୍ୟୁରୋ):ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଓଡ଼ିଶା ସରକାର ଶ୍ରମିକମାନଙ୍କୁ ଠିକ୍‌ ସମୟରେ ଶତପ୍ରତିଶତ ମଜୁରି ପ୍ରଦାନ କରୁଛନ୍ତି। ଲୋକଙ୍କ ହାତକୁ ଅଧିକ କାମ ଦେବା ସହ ନିୟମିିତ ଭାବେ ମଜୁରି ପ୍ରଦାନ କରିବାକୁ ରାଜ୍ୟ ସରକାର ଏକ ‘ରିଭଲଭିଙ୍ଗ୍‌ ଫଣ୍ଡ’ ଗଠନ କରିଛନ୍ତି । ଏହି ଫଣ୍ଡ ସହ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ସଫ୍ଟଓ୍ବେରକୁ ସଂଯୁକ୍ତ କଲେ ଧାର୍ଯ୍ୟ ସମୟରେ ଏମ୍‌ଜିଏନ୍‌ଆରଇଜିଏସ୍‌ ବାବଦ କେନ୍ଦ୍ରୀୟ ଅଂଶ ମିଳିବାରେ ଅସୁବିଧା ହୁଅନ୍ତା ନାହିଁ । ଏହା ଦ୍ବାରା ରିଭଲ୍‌ଭିଙ୍ଗ ଫଣ୍ଡକୁ ପାଣ୍ଠିର ଅଭାବ ରହନ୍ତା ନାହିଁ। ଏ ଦିଗରେ ରାଜ୍ୟର ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ବାହାର ଶ୍ରମିକ ପରିବାରଙ୍କୁ କାମଧନ୍ଦା ଯୋଗାଇଦେବାକୁ କେନ୍ଦ୍ର ସରକାର କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଏମ୍‌ଜିଏନ୍‌ଆରଇଜିଏସ୍‌ ପାଇଁ କେନ୍ଦ୍ର ବଜେଟରେ ଅଧିକ ଅର୍ଥ ବରାଦ କରିଛନ୍ତି। ତେବେ ଏ ବାବଦ କେନ୍ଦ୍ରୀୟ ଅଂଶଧନ ମିଳିବାରେ ବିଳମ୍ବ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରିଭଲଭିଙ୍ଗ୍‌ ଫଣ୍ଡ ଗଠନ କରି ଜବ୍‌କାର୍ଡଧାରୀଙ୍କୁ ଠିକ୍‌ ସମୟରେ ମଜୁରି ପ୍ରଦାନ କରିଆସୁଛନ୍ତି। ରାଜ୍ୟ ସରକାର ୨୦୨୨-୨୩ ଆର୍ଥତ୍କ ବର୍ଷ ପାଇଁ ବଜେଟରେ ଏହି ଫଣ୍ଡ ଲାଗି ୧ ହଜାର କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏମ୍‌ଜିଏନ୍‌ଆରଇଜିଏସ୍‌ ସଫ୍ଟଓ୍ବେରକୁ ରିଭଲଭିଙ୍ଗ୍‌ ଫଣ୍ଡ ସହ ସଂଯୋଗ କରି ନ ଥିବାରୁ କେନ୍ଦ୍ର ଅଂଶଧନ ମିଳିବାରେ ବିଳମ୍ବ ହେଉଛି। ଏ ନେଇ ମନ୍ତ୍ରଣାଳୟକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଂଯୋଗ କରାଯାଇନାହିଁ। ରିଭଲଭିଙ୍ଗ୍‌ ଫଣ୍ଡ ସହ ଉକ୍ତ ସଫ୍ଟଓ୍ବେରକୁ ସଂଯୋଗ କରାଗଲେ ପାଣ୍ଠି ମିଳିବା ଓ ଠିକ୍‌ ସମୟରେ ଶ୍ରମିକଙ୍କ ମଜୁରି ଦେବାରେ ସହାୟକ ହୋଇପାରିବ। ଏ ଦିଗରେ ହସ୍ତକ୍ଷେପ କରି ସମସ୍ୟା ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।