ପଟ୍ଟାଙ୍ଗି, ୨୪।୧୧ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାରେ ଚାଲିଥିବା ସ୍ୱାମୀ ଆୟାପ୍ପାଙ୍କ ପୂଜା ଅବସରରେ ଆୟୋଜିତ ନଗର ପରିକ୍ରମା ଯାତ୍ରା ସ୍ଥାନୀୟ ଜନସାଧାରଣଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଦୀର୍ଘବର୍ଷ ଧରି ଚାଲିଆସୁଥିବା ଏହି ପୂଜାରେ ପ୍ରଥମଥର ପାଇଁ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।
ସୂଚନା ଅନୁଯାୟୀ, ସ୍ଥାନୀୟ ଗୁପ୍ତି ଚୌଧୁରୀ ଓ ଭଗବାନ ସାହୁଙ୍କ ସମେତ ଅନ୍ୟ ଗୁରୁସ୍ୱାମୀଙ୍କ ନେତୃତ୍ୱରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ୱାମୀ ଆୟାପ୍ପାଙ୍କ ନଗର ପରିକ୍ରମା ଯାତ୍ରା ଆୟୋଜିତ ହୋଇଥିଲା। ବ୍ଲକ ସଦର ମହକୁମାରେ ୨୦୦୪ ମସିହାରୁ ଏହି ପୂଜା ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ପ୍ରଥମଥର ପାଇଁ ନଗର ପରିକ୍ରମା ମାଧ୍ୟମରେ ଗ୍ରାମବାସୀ ଓ ଭକ୍ତଙ୍କଠାରୁ କ୍ଷୀର ସଂଗ୍ରହ କରାଯାଇ ଶିବ ମନ୍ଦିରରେ କ୍ଷୀର ଅଭିଷେକ ଓ ରୁଦ୍ରାଭିଷେକ କରାଯାଇଥିଲା।
ଏହି ଅବସରରେ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସମସ୍ତେ ଶ୍ରଦ୍ଧାର ସହ କ୍ଷୀର ଆଣି ସ୍ୱାମୀମାନଙ୍କ କାନ୍ଧରେ ଥିବା କାଉଡ଼ିରେ ଦାନ କରିଥିଲେ। ନଗର ପରିକ୍ରମା ସମୟରେ ସଂଗୃହୀତ କ୍ଷୀରକୁ ଶିବ ମନ୍ଦିରରେ ଅଭିଷେକ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଦାମନଯୋଡ଼ିର ରଞ୍ଜନ ଗୁରୁସ୍ୱାମୀ, କୁନ୍ଦୁଲିର ତ୍ରିନାଥ ଗୁରୁସ୍ୱାମୀ, ପରମେଶ୍ୱର ଗୁରୁସ୍ୱାମୀ ଓ ପୁକାଲିର ସାନ ବାବୁ ଗୁରୁସ୍ୱାମୀ ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ। ୪୨ ଦିନିଆ ଆୟାପ୍ପା ଦୀକ୍ଷା ଧାରଣ କରିଥିବା ସ୍ୱାମୀମାନଙ୍କ ସହ ସେମାନେ ଗ୍ରାମ ପରିକ୍ରମା କରିଥିଲେ।
ଏହି ଶୋଭାଯାତ୍ରା ସମୟରେ ସ୍ୱାମୀମାନେ ନାଚଗୀତ କରିବା ସହ ବାଣ ଫୁଟାଇ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଗ୍ରାମବାସୀଙ୍କ ମଙ୍ଗଳ କାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ଗୌଡ଼ ସ୍ୱାମୀଙ୍କ ସମେତ ଯୋଗୀ ରଜୁ, ପଞ୍ଚାନନ ବେହେରା ଓ ଅନ୍ୟ ମାଳାଧାରୀ ସ୍ୱାମୀମାନେ ପରିଚାଳନାରେ ସହଯୋଗ କରିଥିଲେ।