ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି। ବ୍ଲକ୍ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଏହି ଅବସରରେ ଉପସ୍ଥିତ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ- ଶିକ୍ଷକ ଓ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଇ ବିଧାୟକ ନାଏକ ଦେଶ ମାତୃକାର ସେବା, ଦେଶର ଏକତା ଓ ଅଖଣ୍ଡତା ପାଇଁ ସମସ୍ତେ ଶପଥ ନେବାକୁ ଆହ୍ୱାନ ଦେଇଥିଲେ।
ବିଧାୟକ ନାଏକ ୩୨ଟି ଗ୍ରୁପ୍ରୁ ଆସିଥିବା ପରେଡ୍ ଦଳର ଅଭିବାଦନ ଗ୍ରହଣ କରିଥିଲେ। ପରେ ଛାତ୍ରୀଛାତ୍ରମାନେ ଦେଶାତ୍ମବୋଧକ ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ପାଟଣା ବ୍ଲକ୍ର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କର୍ମଚାରୀ, ବିଶିଷ୍ଟ ବ୍ୟକ୍ତିତ୍ୱ ଓ କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ପାଟଣା ବ୍ଲକ୍ ଅଧ୍ୟକ୍ଷା ବୀଣାପାଣି ନାୟକ, ବିଡିଓ ମାନସ ରଞ୍ଜନ ଦଣ୍ଡପାଟ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହା ବ୍ୟତୀତ ପାଟଣା ତହସିଲ, ପାଟଣା ବ୍ଲକ୍, ପାଟଣା କଲେଜ, ତୁରୁମୁଙ୍ଗା ଦଧିବାମ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଡିଗ୍ରୀ କଲେଜ, ପାଟଣା ଥାନା, ତୁରୁମୁଙ୍ଗା ଥାନା, ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଅଗ୍ନିଶମ କାର୍ଯ୍ୟାଳୟ, ପାଟଣା ରେଞ୍ଜ୍ ଅଫିସ୍, ସ୍ୱାମୀ ମୁକ୍ତିତୀର୍ଥ କ୍ଲବ୍, ପାଟଣା ବାଳିକା ଉଚ୍ଚବିଦ୍ୟାଳୟ, ଜିଏନ୍ ହାଇସ୍କୁଲ୍, ପାଟଣା ଶିଶୁ ବିଦ୍ୟାମନ୍ଦିର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ତୁରୁମୁଙ୍ଗା ଶିଶୁମନ୍ଦିର ସମେତ ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।
ପରେଡ୍କୁ କ୍ୟାପଟେନ୍ ଧର୍ମେନ୍ଦ୍ର ସାହୁ ଓ ପ୍ରମୋଦ ଭଞ୍ଜ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ଭାଷ୍ୟକାର ପାର୍ଥସାରଥୀ ବେଜ ଓ ଶିକ୍ଷକ ନେତା କମଳାକାନ୍ତ ପତି ସଂଯୋଜନା କରିଥିଲେ। ଶିକ୍ଷକ ଜ୍ୟୋତିର୍ମୟ ତ୍ରିପାଠୀ, ସନ୍ତୋଷ ନାଏକ, ପ୍ରମୋଦ ମହାନ୍ତ, କଳ୍ପତରୁ କର, ପ୍ରକାଶ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।