ରୋଗୀ ଆଟେଣ୍ଡାଣ୍ଟଙ୍କୁ ପିଟିଲା ପୋଲିସ

କଟକ, ୧୧ା୪(ଶିଳ୍ପା ପ୍ରିୟଦର୍ଶିନୀ)କଟକ ଏସ୍‌ସିବି ମେଡିକାଲରେ ରୋଗୀଙ୍କ ଆଟେଣ୍ଡାଣ୍ଟମାନଙ୍କୁ ମଙ୍ଗଳବାର ରାତିରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବା ପାଇଁ ସେମାନେ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲକୁ ଚିକିତ୍ସା ପାଇଁ ଦୂରଦୂରାନ୍ତରୁ ରୋଗୀମାନେ ଆସିଥାନ୍ତି। ସେମାନଙ୍କ ସହିତ ଆଟେଣ୍ଡାଣ୍ଟ ମଧ୍ୟ ଆସିଥାନ୍ତି। ଚିକିତ୍ସା ପାଇଁ ଅଧିକ ସମୟ ଲାଗୁଥିବାରୁ ରୋଗୀଙ୍କ ଆଟେଣ୍ଡାଣ୍ଟମାନେ ରାତିବେଳା ବିଭିନ୍ନ ବିଭାଗ ନିକଟରେ ଶୋଇଥାନ୍ତି। ମଙ୍ଗଳବାର ରାତିରେ ମଧ୍ୟ ମେଡିକାଲର ରଞ୍ଜନରଶ୍ମି ବିଭାଗ, ରୁମାଟୋଲୋଜି ବିଭାଗ, ମେଡିିସିନ ବିଭାଗ ନିକଟରେ ରୋଗୀଙ୍କ ଆଟେଣ୍ଡାଣ୍ଟମାନେ ଶୋଇଥିଲେ। ହଠାତ୍‌ ପୋଲିସ ସେଠାରେ ପହଞ୍ଚି ମୋବାଇଲ ଓ ପିଲା ଚୋରି ହେଉଥିବା କହି ସେମାନଙ୍କୁ ପଳାଇବା ପାଇଁ କହିବା ସହ ମାଡ଼ ମାରିଥିଲା। ଏଥିରେ ସେମାନେ ଆହତ ହୋଇଥିଲେ। ଏନେଇ ଏସ୍‌ସିବି ମେଡିକାଲକୁ ଆସିଥିବା ରବୀନ୍ଦ୍ରନାଥ ବେହେରା କହିଛନ୍ତି, ମେଡିକାଲର ନେଫ୍ରୋଲୋଜି ବିଭାଗକୁ ମଙ୍ଗଳବାର ଚିକିତ୍ସା ପାଇଁ ଆସିଥିଲି। ସେଠାରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ରଞ୍ଜନରଶ୍ମି ବିଭାଗ ନିକଟରେ ଧାଡିରେ ଛିଡା ହୋଇଥିଲି। ହେଲେ ନମ୍ବର ନ ପଡିବାରୁ ବୁଧବାର ପରୀକ୍ଷା ପାଇଁ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା। ଫଳରେ ଘରକୁ ନ ଫେରି ମେଡିକାଲର ରଞ୍ଜନରଶ୍ମି ବିଭାଗ ନିକଟରେ ରାତିରେ ଶୋଇଥିଲି। ହେଲେ ହଠାତ୍‌ ପୋଲିସ ଆସି ମାଡ ମାରିଥିଲା। ମେଡିକାଲକୁ ଚିକିତ୍ସା ପାଇଁ ଆସି ପୋଲିସ ମାଡ଼ରେ ଆହତ ହୋଇଛି। ସେହିପରି ଗଣେଶ ଚନ୍ଦ୍ର ମାହାନା କହିଛନ୍ତି, ମେଡିକାଲରେ ରୋଗୀଙ୍କ ଆଟେଣ୍ଡାଣ୍ଟ ବିଶ୍ରାମ ନେଉଥିବାବେଳେ ରାତି ଅଧରେ ପୋଲିସ ସେମାନଙ୍କୁ ମାଡ଼ ମାରୁଛି। ଏନେଇ ଏସ୍‌ସିବି ମେଡିକାଲ ପରିସରରେ ଥିବା ମଙ୍ଗଳାବାଗ ଫାଣ୍ଡି ଅଧିକାରୀ ମଣେଶ୍ୱର ପ୍ରଧାନ କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ମେଡିକାଲ ପରିସରରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ବ୍ୟତୀତ ଅନ୍ୟ ଲୋକ ଆସି ରାତିରେ ଆଶ୍ରୟ ନେଉଛନ୍ତି। ଫଳରେ ମେଡିକାଲକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କ ମୋବାଇଲ ଫୋନ ସହ ଶିଶୁ ଚୋରି ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଗହଳି ନ କରିବା ପାଇ କୁହାଯାଇଥିଲା। ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବିନା ଅସୁବିଧାରେ ମେଡିକାଲରେ ଆଶ୍ରୟ ନେଇପାରିବେ। ସେମାନଙ୍କ ବ୍ୟତୀତ ବାହାର ଲୋକଙ୍କୁ ମେଡିକାଲରୁ ବାହାରକୁ ଯିବା ପାଇଁ ପୋଲିସ କର୍ମଚାରୀମାନେ କହିଥିଲେ। ଅପରପକ୍ଷରେ ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।