ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଉକ୍ତ ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆ (୩୩)।
ସୂଚନା ଅନୁସାରେ, ପୂର୍ବରୁ ରୁଜୁ ହୋଇଥିବା ଏକ ହତ୍ୟା ଉଦ୍ୟମ ମାମଲାରେ ବଳରାମ ଅଭିଯୁକ୍ତ ଥିଲେ। ତେବେ ମାଜିଷ୍ଟ୍ରେଟଙ୍କ ଆଦେଶ ସତ୍ତ୍ୱେ ସେ ନିୟମିତ କୋର୍ଟରେ ହାଜର ହେଉ ନ ଥିଲେ। ଏହି କାରଣରୁ ମାମଲା ନଂ. ଏସ.ଟି -/୨୫ ଅନୁଯାୟୀ ତାଙ୍କ ବିରୋଧରେ କୋର୍ଟଙ୍କ ପକ୍ଷରୁ ଜାମିନବିହୀନ ଗିରଫ ପରୱାନା (NBW) ଜାରି କରାଯାଇଥିଲା।
କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ପାଟପୁର ଥାନା ଏଏସଆଇ ସୁଧିର କୁମାର ନାୟକ ସଦଳବଳ ଚଢ଼ଉ କରି ଅଭିଯୁକ୍ତ ବଳରାମଙ୍କୁ ଗିରଫ କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ଜିଲ୍ଲା ଜଜ୍ କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡ଼ିଛି।