କୋକସରା,୨୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଘରୋଇ ବସ୍ କର୍ମଚାରୀଙ୍କ ଦବଙ୍ଗଗିରି। ପୂରା ରାସ୍ତାର ଟିକେଟ୍ କାଟି ଅଧା ବାଟରେ ଯାତ୍ରୀଙ୍କୁ ଓହ୍ଲାଇ ଦେବା ଭଳି ଅଭାବନୀୟ ଦୃଶ୍ୟ ଗୁରୁବାର କଳାହାଣ୍ଡି ଜିଲା କୋକସରା ବ୍ଲକ୍ ଆମପାଣି ମୁଖ୍ୟ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି।
ଅଭିଯୋଗ ଅନୁସାରେ, ନିଜ ଗନ୍ତବ୍ୟ ସ୍ଥଳକୁ ଆସିବା ପାଇଁ ହାଇଦ୍ରାବାଦ ସ୍ଥିତ ରାଜଧାନୀ ବସ୍ କାଉଣ୍ଟରରେ ୩୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଟିକେଟ୍ କାଟିଥିଲେ। ସେଠାରେ ବସ୍ କର୍ମଚାରୀମାନେ ଶ୍ରମିକଙ୍କୁ ମାଡ଼ ମାରିବା ସହ ନଗଦ ଟଙ୍କା ଓ ଫୋନ୍-ପେ ଜରିଆରେ ଜୋରଜବରଦସ୍ତ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏହି ଯାତ୍ରୀମାନେ ସିନାପାଲି, ବଙ୍ଗୋମୁଣ୍ଡା, ମୁରିବାହାଲ, କେମନା ଓ ଗୋଲାମୁଣ୍ଡା ଯିବାର ଥିଲା। ମାତ୍ର ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପରିବର୍ତ୍ତେ ଆମପାଣିଠାରେ ଓହ୍ଲାଇ ଦିଆଯାଇଥିଲା। ଏହାକୁ ନେଇ ରାସ୍ତା ମଝିରେ ପ୍ରବଳ ହୋହାଲ୍ଲା ଓ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଖବର ପାଇ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍କୁ ଜବତ କରିବା ସହ ଯାତ୍ରୀଙ୍କୁ ବୁଝାଶୁଝା କରିଥିଲା। ପରବର୍ତ୍ତୀ ସମୟରେ ଥାନାରେ ଆଲୋଚନା ହେବା ପରେ ବସ୍ କର୍ମଚାରୀମାନେ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡ଼ିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବାରୁ ଗାଡ଼ିଟିକୁ ଛଡ଼ାଯାଇଥିଲା।
ତେବେ ଉକ୍ତ ବସ୍ଟି କୌଣସି ଯାତ୍ରୀବାହୀ ବସ୍ ନହୋଇ ଏକ ‘ଟୁରିଷ୍ଟ ବସ୍’ ଥିଲା। ଏପରି ବେଆଇନ ଭାବେ ୨୦ରୁ ଊର୍ଦ୍ଧ୍ୱ ଟୁରିଷ୍ଟ ବସ୍ ହାଇଦ୍ରାବାଦ ଓ ବେଙ୍ଗାଲୁରୁ ରୁଟ୍ରେ ଅବାଧରେ ଚାଲୁଥିଲେ ବି ପୋଲିସ ଓ ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ନ ନେବା ଏବଂ ଗାଡ଼ିଟିକୁ କୌଣସି ଚାଲାଣ ନକାଟି ଛାଡ଼ିଦେବା ପୋଲିସର ଭୂମିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।