ମାଛଧରା ଡଙ୍ଗାରେ ଯାତ୍ରୀ ପରିବହନ, ମୁଣ୍ଡପିଛା ଭଡ଼ା ଶହେରୁ ଦେଢ଼ଶହ

ମହାକାଳପଡ଼ା,୨୫ା୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ମହାନଦୀର ବାହାକୁଦ-ମୂଷାଡ଼ିଆ ଫେରି ଘାଟରୁ ଡଙ୍ଗାରେ ଯାତ୍ରୀ ପରିବହନ ଉପରେ ଜିଲା ପ୍ରଶାସନ ରୋକ୍‌ ଲଗାଇଛି। ହେଲେ ପ୍ରତିଦିନ ଲୁଚାଛପାରେ ମାଛଧରା ଡଙ୍ଗାରେ ଯାତ୍ରୀ ପରିବହନ ଚାଲିଛି। ଏଥିପାଇଁ ମୁଣ୍ଡପିଛା ଭଡ଼ା ଶହେରୁ ଦେଢ଼ଶହ ଟଙ୍କା ଆଦାୟ କରାଯାଉଛି। ନଦୀ ସେପଟେ ଥିବା ପାରାଦୀପ ଶିଳ୍ପାଞ୍ଚଳକୁ ପ୍ରତିଦିନ ଶତାଧିକ ଲୋକ ଏମିତି ଯାଉଛନ୍ତି ବୋଲି ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଗତ ୨୦ତାରିଖ ସାରେ ପାରାଦୀପରୁ କେନ୍ଦ୍ରାପଡ଼ା ଜିଲା ବାହାକୁଦକୁ ଆସୁଥିବା ଏକ ଯାତ୍ରୀବାହୀ ଡଙ୍ଗା ମହାନଦୀରେ ବନ୍ୟାସ୍ରୋତରେ ମୁହାଣ ଦିଗକୁ ଭାସି ଯାଇଥିଲା। ସେହି ଡଙ୍ଗାରେ ୬୦ଜଣ ଯାତ୍ରୀଙ୍କ ସହିତ ବାଇକ୍‌ ଓ ସାଇକେଲ ଆଦି ଥିଲା। ହେଲେ ସୌଭାଗ୍ୟକୁ ସେହି ଡଙ୍ଗାଟି ବତୀଘର ପଞ୍ଚାୟତ ନିପାଣିଆ ଜଙ୍ଗଲ ବୁଦାମୂଳେ ଅଟକି ଯାଇଥିଲା। ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ପରେ ରାମନଗର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୃତ୍ୟୁଞ୍ଜୟ ରାଉତ ଏହି ଘାଟ ନିଲାମ ନେଇଥିବା ଆନନ୍ଦ ସାହୁ ଓ ଘାଟ ଚାଳକ ନୃସିଂହ ବେହେରାଙ୍କ ନାମରେ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୧୦୭/୨୨) ରୁଜୁ କରି ଉଭୟଙ୍କୁ ଥାନାକୁ ଡାକି ପଚରାଉଚରା କରିବା ସହ ଥାନାରେ ଜାମିନ ପ୍ରଦାନ କରିଥିଲା। ଅଦ୍ୟାବଧି ଏହି ବାହାକୁଦ ଫେରି ଘାଟ ବନ୍ଦ ରହିଛି।

ଏହି ସୁଯୋଗରେ ସ୍ଥାନୀୟ ଅଞ୍ଚଳର କେତେଜଣ ମତ୍ସ୍ୟଜୀବୀ ମାଛ ଧରା ଡଙ୍ଗାରେ ଯାତ୍ରୀମାନଙ୍କୁ ପାରାଦୀପକୁ ନଦୀ ପାର କରୁଥିବା ଦେଖିବାକୁ ମିଳିଛି। ଯାତ୍ରୀ ପିଛା ଶହେରୁ ଦେଢ଼ ଶହ ଟଙ୍କା ଆଦାୟ କରାଯାଉଛି ବୋଲି ନଦୀପାର ହେଉଥିବା ଯାତ୍ରୀମାନେ କହିଛନ୍ତି। ବାହାକୁଦ ଫେରିଘାଟ ବନ୍ଦ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରମିକ ସ୍ଥଳ ପଥରେ ୫୦ କିମି ବୁଲି ମାର୍ଶାଘାଇ କେନାଲ ବ୍ରିଜ୍‌ ଦେଇ ଯାତାୟାତ କରୁଛନ୍ତି। ଏଥିପାଇଁ ଶ୍ରମିକମାନେ ବହୁ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି। ପ୍ରଶାସନ ତୁରନ୍ତ ଏହି ଘାଟକୁ ଖୋଲିବା ପାଇଁ ଶ୍ରମିକମାନେ ଦାବି କରିଛନ୍ତି।