ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ: ସମସ୍ତ ଯାତ୍ରୀ ସୁରକ୍ଷିତ

କୋରାପୁଟ,୧୨।୯(ସ୍ବ.ପ୍ର.): କୋରାପୁଟ ଜିଲା ଜୟପୁର ନିକଟ ଛତ୍ରିପୁଟ ପାଖରେ ବିଶାଖାପାଟଣାରୁ ଛତିଶଗଡର କିରୋଣ୍ଡଲ ଯାଉଥିବା ପାସେଞ୍ଜର ଟ୍ରେନ୍‌ର ୪ଟି ବଗି ସୋମବାର ଅପରାହ୍ନରେ ଲାଇନ୍‌ଚ୍ୟୁତ ହୋଇଛି। ସେଥିରୁ ଗୋଟିଏ ସ୍ଲିପର କ୍ଲାସ ବଗି ହୋଇଥିବା ବେଳେ ଆଉ ୩ଟି ଜେନେରାଲ ବଗି। ତେବେ ଏହି ଦୁର୍ଘଟଣାରେ କିଛି କ୍ଷୟକ୍ଷତି ହୋଇ ନ ଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା କୋରାପୁଟ ଷ୍ଟେଶନ ମ୍ୟାନେଜର ନନ୍ଦକିଶୋର ଭିତିରିଆ ସୂଚନା ଦେଇଛନ୍ତି। ଖବରପାଇ ଘଟଣାସ୍ଥଳରେ ରେଲୱେ ବିଭାଗର ଡିଆରଏମ୍‌ ଅନୁପ ଶତପଥୀ, ସୁଧିର ଗୁପ୍ତା, ମୋନଜ କୁମାର ସାହୁ ପହଞ୍ଚି ଯାତ୍ରୀମାନଙ୍କୁ ଅନ୍ୟ ଟ୍ରେନରେ ତାଙ୍କର ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ଜଣାଯାଇଛି। ରେଳ ଷ୍ଟେଶନର ରେଳ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚିବା ସହ ମରାମତି କାମ ଆରମ୍ଭ ହୋଇଛି।