ମା’ ପାର୍ବତୀଙ୍କୁ ଚୋରିକଲେ ପଞ୍ଚମହାଦେବ

ପୁରୀ ଅଫିସ, ୨୪।୫: ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଅବସରରେ ମଙ୍ଗଳବାର ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ପୀଠରେ କନ୍ୟାଚୋରି ନୀତି ସମ୍ପନ୍ନ ହୋଇଛି। ପରମ୍ପରା ମୁତାବକ, ପଞ୍ଚମହାଦେବ ପାର୍ବତୀଙ୍କୁ ଚୋରି କରିଛନ୍ତି। ବୁଧବାର ରୀତିନୀତି ଅନୁଯାୟୀ, ମା ପାର୍ବତୀଙ୍କୁ ମହାଦେବ ବିବାହ କରିବେ। ଗୁରୁବାର ପବିତ୍ର ଶୀତଳ ଷଷ୍ଠୀ ପାଳନ କରାଯିବ। କନ୍ୟାଚୋରୀ ଏବଂ ଶିବ ବିବାହ ଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ଭାବେ ପ୍ରଭୁ ଯମେଶ୍ୱର, ଶ୍ରୀଲୋକନାଥ, ମାର୍କଣ୍ଡେଶ୍ୱର, କପାଳମୋଚନ ଏବଂ ନୀଳକଣ୍ଠେଶ୍ୱରଙ୍କୁ ବିବେଚନା କରାଯାଇଥାଏ। ପରମ୍ପରା ଅନୁସାରେ, ପଞ୍ଚମହାଦେବ ନିଜ ନିଜ ଶ୍ୱଶୁର ଘର ନିକଟକୁ ଯାଇ ପାର୍ବତୀଙ୍କୁ ଚୋରି କରି ସାଙ୍ଗରେ ନେଇ ବିବାହ କରିଥାନ୍ତି। ଏଭଳି ପରମ୍ପରା କେବେଳ ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳି ନ ଥାଏ। ଏହି କନ୍ୟାଚୋରି ନୀତି ସମ୍ପନ୍ନ ହେବା ପରେ ପ୍ରତ୍ୟେକ ଠାକୁର ସ୍ବମନ୍ଦିରକୁ ବିଜେ କରିଥିଲେ। ସେଠାରେ ଠାକୁରଙ୍କ ମାଘସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ପରେ ସନ୍ଧ୍ୟାଧୂପ ଏବଂ ବଡ଼ସିଂହାର ନୀତି ସରି ପହୁଡ଼ ନୀତି ହୋଇଥିଲା। କନ୍ୟାଚୋରି ନୀତି ସମ୍ପର୍କରେ ଲୋକନାଥ ମନ୍ଦିରର ସେବକ କହନ୍ତି କନ୍ୟାଚୋରି ଏକମାତ୍ର ପର୍ବ, ଯାହାକି କେବଳ ଶ୍ରୀକ୍ଷେତ୍ରରେ ପାଳନ ହୁଏ। ଏଥିରେ ଭଗବାନ ଶଙ୍କର ମା’ ପାର୍ବତୀଙ୍କୁ ଚୋରି କରି ବିବାହ କରିଥାନ୍ତି। ଶ୍ରୀଲୋକନାଥଙ୍କ ପୀଠରେ କନ୍ୟାଚୋରି ଦିନ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଶ୍ରୀଲୋକନାଥଙ୍କ ମଙ୍ଗନହାଣ୍ଡି ଶ୍ରୀମନ୍ଦିର କୋଠଭୋଗ ସୁଆରମାନେ ରାନ୍ଧିଥାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନ୍ଧ୍ୟାଧୂପ ବଢିବା ପରେ କୋଠଭୋଗ ସୁଆରମାନେ ଶ୍ରୀଲୋକନାଥଙ୍କ ମନ୍ଦିରକୁ ଯାଇ ସନ୍ଧ୍ୟାଧୂପ ଓ ବଡ଼ସିଂହାର ନିମନ୍ତେ କୋଠଭୋଗ ପ୍ରସ୍ତୁତ କରିଥାନ୍ତି। ଶ୍ରୀଲୋକନାଥ ମହାପ୍ରଭୁ ପାର୍ବତୀଙ୍କୁ ଚୋରି କରିନେଇ ମନ୍ଦିରକୁ ଫେରିବା ପରେ ଠାକୁର ଠାକୁରାଣୀ ମାଘସ୍ନାନ ହୋଇ ସନ୍ଧ୍ୟାଧୂପ ଓ ବଡ଼ସିଂହାର ଭୋଗ ଲାଗି ହୋଇଥାଏ। ସେହିପରି ଗୁରୁବାର ଶୀତଳଷଷ୍ଠୀ ଅବସରରେ ନବ ବିବାହିତ ଦେବଦମ୍ପତି ନଗର ପରିକ୍ରମା କରି ପନ୍ତିଭୋଗ ଖାଇବା ପରେ ଶ୍ରୀମନ୍ଦିରକୁ ବିଜେ କରିବେ। ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ସମେତ ବିଭିନ୍ନ ସାହିରେ ଥିବା ମହାଦେବମାନଙ୍କ ପକ୍ଷରୁ କନ୍ୟାଚୋରି ନୀତି ସମ୍ପନ୍ନ ହୋଇଛି।