ରାତିରେ ଭୋଜି, ସକାଳେ ମିଳିଲା ମୃତଦେହ

ଭୁବନେଶ୍ୱର,୨୬ା୮(ବ୍ୟୁରୋ):ରାତିରେ ପଡୋଶୀଙ୍କ ଘରେ ହୋଇଥିଲା ଭୋଜି। ସ୍ବାମୀ, ସ୍ତ୍ରୀ ଓ ଛୋଟ ପୁଅ ଭୋଜି ଖାଇବା ସହ ସେହିଠାରେ ଶୋଇପଡିଥିଲେ। ଗୁରୁବାର ଭୋର୍‌ ସମୟରେ ଘରକୁ ଆସିଥିଲେ ସ୍ତ୍ରୀ। ଆଉ ତା’ପରେ ମିଳିଲା ତାଙ୍କର ଝୁଲନ୍ତା ମୃତଦେହ। ପୋଲିସ ପହଞ୍ଚତ୍ବାବେଳକୁ କବାଟ ଭଙ୍ଗା ହୋଇସାରିଥିଲା। ପଡ଼ି ରହିଥିଲା ମୃତଦେହ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରସୁଲଗଡ଼ ଭାଗବତ ସନ୍ଧାନ କଲୋନୀରେ ଘଟିଥିବା ଏହି ସନ୍ଦେହଜନକ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ଚାଲିଛି। ମୃତ ମହିଳା ଜଣକ ହେଲେ ପ୍ରଜ୍ଞା ପାରମିତା ଧଳ। ଏହା ଆତ୍ମହତ୍ୟା ନା ହତ୍ୟା, ପୋଲିସ ତାହାର ଖୋଳତାଡ଼ କରୁଛି। ଯଦି ଆତ୍ମହତ୍ୟା, ତେବେ ଏହା ପଛରେ ପାରିବାରିକ ଅଶାନ୍ତି ନା ଆଉ କିଛି? ଭୋଜି ରାତିରେ ହସଖୁସି ଭିତରେ କ’ଣ ଘଟିଲା ଯେ, ପ୍ରଜ୍ଞା ଏଭଳି ଚରମ ନିଷ୍ପତ୍ତି ନେଲେ? ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୮୧/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ପ୍ରଜ୍ଞାଙ୍କ ମୋବାଇଲ୍‌ ଫୋନ୍‌କୁ ଜବତ କରି ଅଧିକ ତଥ୍ୟ ହାସଲ ପାଇଁ ଉଦ୍ୟମ ଚଳାଇଛି।
ପ୍ରଜ୍ଞାଙ୍କ ଘର ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳରେ। ସେ ଭୁବନେଶ୍ୱରରେ ରହି ଏମ୍‌ବିଏ ପଢ଼ୁଥିଲେ। ୭ବର୍ଷ ତଳେ ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବେଲଗାଡ଼ିଆ ଅଞ୍ଚଳର ସତ୍ୟନାରାୟଣ କରଙ୍କୁ ବିବାହ କରିଥିଲେ। ସତ୍ୟନାରାୟଣ ପଟିଆସ୍ଥିତ ଏକ କାର୍‌ ଶୋ’ରୁମ୍‌ରେ ଚାକିରି କରନ୍ତି। ସ୍ବାମୀ ଓ ଶିଶୁପୁତ୍ର ସହ ପ୍ରଜ୍ଞା ଭାଗବତ ସନ୍ଧାନ କଲୋନୀରେ ରହୁଥିଲେ। ଉକ୍ତ କୋଠାର ଉପରମହଲାରେ ପ୍ରଜ୍ଞାଙ୍କ ଭାଇ ରହୁଥିଲେ। ବୁଧବାର ଉଭୟ ସ୍ବାମୀ, ସ୍ତ୍ରୀ ପୁଅକୁ ଧରି ସାମ୍ନା ପଡୋଶୀଙ୍କ ଘରେ ଭୋଜି କରି ଖାଇପିଇ ରାତିରେ ଶୋଇଥିଲେ। ସତ୍ୟନାରାୟଣଙ୍କ କହିବାନୁସାରେ, ଭୋର୍‌ ସମୟରେ ପ୍ରଜ୍ଞା ଫ୍ରେସ୍‌ ହୋଇ ଆସିବାକୁ କହି ଘରକୁ ଯାଇଥିଲେ। ଆସିବା ବିଳମ୍ବ ହେବାରୁ ପଡୋଶୀ ଘରର ମହିଳା ଜଣକ ତାଙ୍କୁ ଡାକିବାକୁ ତାଙ୍କ ଘରକୁ ଯାଇଥିଲେ। ହେଲେ କବାଟ ବନ୍ଦ ଥିବାରୁ ଡାକିଥିଲେ ମଧ୍ୟ କିଛି ଜବାବ ଆସି ନ ଥିଲା। ତେଣୁ ସେ ଝରକା ପଟେ ଡାକିବାକୁ ଯିବାବେଳେ ପ୍ରଜ୍ଞା ଲୁଗା ସାହାଯ୍ୟରେ ଫ୍ୟାନରେ ଝୁଲି ପଡିଥିବା ଦେଖି ଚିତ୍କାର କରିଥିଲେ। ପରେ ପ୍ରଜ୍ଞାଙ୍କ ସ୍ବାମୀ ପହଞ୍ଚତ୍ କବାଟ ଭାଙ୍ଗି ତାଙ୍କୁ ତଳକୁ ଓହ୍ଲାଇବା ସହ ପୋଲିସକୁ ଖବର ଦେଇଥିଲେ। ହେଲେ ପୋଲିସ ପହଞ୍ଚତ୍ବାବେଳକୁ ତାଙ୍କର ମୃତ ହୋଇସାରିଥିଲା।