ସ୍କୁଲ ଖୋଲିଲେ ପିଲାଙ୍କୁ ଛାଡ଼ିବେନି ଅଭିଭାବକ

ଭଞ୍ଜନଗର,୧୨।୮(ଡି.ଏନ୍‌.ଏ.)- କେନ୍ଦ୍ର ସରକାର ସେପ୍ଟେମ୍ବରରେ ବିଦ୍ୟାଳୟ ଖୋଲିବା ପାଇଁ ଯୋଜନା କରୁଛନ୍ତି। ଏନେଇ ଅଭିଭାବକଙ୍କ ଫିଡ୍‌ବ୍ୟାକ୍‌ ମଗାଯିବ। କିନ୍ତୁ ଶେଷ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଏଭଳି ପରିସ୍ଥିତିରେ ସ୍କୁଲ ଖୋଲିଲେ ପିଲାମାନଙ୍କୁ ବିଦ୍ୟାଳୟ ନଛାଡିବାକୁ ଭଞ୍ଜନଗର ଅଞ୍ଚଳର ଅଧିକାଶଂ ଅଭିଭାବକ କହିଛନ୍ତି। ସେପ୍ଟେମ୍ବରରେ କରୋନା ଭୂତାଣୁ ସମ୍ପୂର୍ଣ୍ଣ ଲୋପ ହେବା ଆଶାନାହିଁ। ତେଣୁ ପିଲାଙ୍କୁ ବିପଦ ମୁଖକୁ ଛାଡିବାକୁ ଚାହୁଁନାହାନ୍ତି ଅଭିଭାବକ। ଅପରପକ୍ଷେ ବିଦ୍ୟାଳୟ ବନ୍ଦ ଦ୍ୱାରା ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ବ୍ୟାହତ ହୋଇଛି। ବିଭିନ୍ନ କାରଣରୁ ସମସ୍ତ ଛାତ୍ରୀଛାତ୍ର ଅନ୍‌ଲାଇନ କ୍ଲାସ କରିପାରୁନାହାନ୍ତି। ଛାତ୍ରୀଛାତ୍ର ନୂଆ ମୋବାଇଲ ପାଇଁ ଅଭିଭାବକଙ୍କ ଉପରେ ଚାପ ପକାଉଛନ୍ତି। କରୋନାରେ ଆର୍ଥତ୍କ ସ୍ଥିତି ଦୋହଲି ଯାଇଥିବା ବେଳେ ଆଣ୍ଡ୍ରଏଡ୍‌ ଫୋନ୍‌ କିଣିବା ସମ୍ଭବ ହେଉନାହିଁ। ଭଞ୍ଜନଗର ଅଞ୍ଚଳର ଅନେକ ସ୍ଥାନରେ ଏବେବି ମୋବାଇଲ ଇଣ୍ଟରନେଟ୍‌ ସେବା ନାହିଁ। ପ୍ରାୟ ୫୦ ପ୍ରତିଶତ ଛାତ୍ରୀଛାତ୍ର ବିଭିନ୍ନ କାରଣରୁ ଅନ୍‌ଲାଇନ୍‌ କ୍ଲାସ୍‌ରୁ ବଞ୍ଚତ୍ତ ହେଉଛନ୍ତି। ଅନ୍ୟପଟେ ସେପ୍ଟେମ୍ବରରେ ସ୍କୁଲ ଖୋଲିଲେ ମଧ୍ୟ ପିଲାଙ୍କୁ ବିଦ୍ୟାଳୟ ଛାଡିବାକୁ ଅଧିକାଶଂ ଅଭିଭାବକ ମାନସିକ ଭାବେ ପ୍ରସ୍ତୁତ ନୁହନ୍ତି। ଆଉ କେତେଜଣ ଅଭିଭାବକ କରୋନା ସମ୍ପୂର୍ଣ୍ଣ ଲୋପ ପାଇବା ପରେ ଛୁଆର ବିଦ୍ୟାଳୟ କଥା ଚିନ୍ତା କରିବୁ ବୋଲି କହିଛନ୍ତି। ଲକ୍‌ଡାଉନ ପରଠୁ ପ୍ରାୟ ୫ମାସରୁ ଊର୍ଦ୍ଧ୍ୱ ହେବ ବିଦ୍ୟାଳୟରେ ତାଲା ପଡିଛି। କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଦଶମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ଆସିବାକୁ କୁହାଯିବ। ୪ ସେକ୍ସନରେ କ୍ଲାସ୍‌ ହେବା ସହ, ସାମାଜିକ ଦୂରତା ଓ ବିଦ୍ୟାଳୟ ସମୟ ଅଧା କରିବାକୁ ଯୋଜନା ଅଛି। କ୍ଲାସ୍‌ ମଝିରେ ସାନିଟାଇଜ ପାଇଁ ୧ଘଣ୍ଟା ନିଆଯିବ। ୩୩ ପ୍ରତିଶତ ଷ୍ଟାଫ୍‌ ଓ ଛାତ୍ରୀଛାତ୍ରଙ୍କୁ ନେଇ ବିଦ୍ୟାଳୟ ଖୋଲିବା ଯୋଜନା ଅଛି। ମାତ୍ର ସରକାରଙ୍କ ଚୂଡାନ୍ତ ବିଜ୍ଞପ୍ତିକୁ ଅଭିଭାବକ, ଶିକ୍ଷକ ଅପେକ୍ଷା କରିଛନ୍ତି।