ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ମା’ କୋଳରୁ ଶିଶୁପୁତ୍ର ହୋଇଛି ଚୋରି, ଏନେଇ ନିରାକାରପୁର ରେଳବାଇ ପୋଲିସରେ ଅଭିଯୋଗ।
ସୂଚନାରୁ ଜଣାପଡିଛି, ନୟାଗଡ଼ ଜିଲା ରଣପୁର ଥାନା କଳାମାଟିଆ ଗ୍ରାମର ପ୍ରଶାନ୍ତ ପ୍ରଧାନ ତାଙ୍କ ସ୍ତ୍ରୀ ଚିନୁଲତା ପରିଡା ଓ ତାଙ୍କର ୪ ମାସର ଶିଶୁପୁତ୍ର ଟ୍ରେନଯୋଗେ ତାମିଲନାଡୁ ଯିବାର ଥିଲା ସେମାନେ ପ୍ରଥମେ କାଳୁପଡାଘାଟ ଷ୍ଟେଶନରେ ପହଞ୍ଚିଥିଲେ ପରେ ସେଠାରୁ ଡିଏମୟୁ ଟ୍ରେନ ଯୋଗେ ନିରାକାରପୁର ଷ୍ଟେଶନ ଆସିଥିଲେ। ସକାଳ ହୋଇଥିଲେ ଟ୍ରେନ ଯୋଗେ ତାମିଲନାଡୁ ଯାଇଥାନ୍ତେ। ପ୍ରଶାନ୍ତ ସ୍ତ୍ରୀ ଚିନୁଲତା ଓ ତାର ଶିଶୁପୁତ୍ର ନିରାକାରପୁର ଷ୍ଟେସନର ୩ନମ୍ବର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବାବେଳେ ଉଭୟ ପିତା ମାତାଙ୍କୁ ନିଦ ଆସି ଯାଇଥିଲା ସେହି ସୁଯୋଗରେ ମା’ କୋଳରୁ ଶିଶୁପୁତ୍ରକୁ କୌଣସି ଦୁର୍ବୁତ୍ତ ଉଠାଇ ନେଇଯାଇଛନ୍ତି।
ଉଭୟ ପିତା ମାତା ଅନେକ ଖୋଜାଖୋଜି କରିବା ପରେ ଶିଶୁ ପୁତ୍ରଙ୍କୁ ନ ପାଇ ନିରାକାରପୁର ଆରପିଏଫ ପୋଲିସର ସହାୟତା ମାଗିଥିଲେ। ହେଲେ ତାଙ୍କୁ ଆରପିଏଫ ପୋଲିସ କୌଣସି ସହଯୋଗ ନ କରି ଓଲଟା ଗାଳିଗୁଲଜ କରି ପ୍ଲାଟଫର୍ମରୁ ବାହାରି ଯିବାକୁ ଧମକ ଦେଇଥିଲେ। ପରେ ସେମାନେ ବିଳମ୍ବିତ ରାତିରେ ନିରାକାରପୁର ଥାନାରେ ପହଞ୍ଚିଥିଲେ। ସେମାନେ ସୂଚନା ଦେଲେ ନିରାକାରପୁର ରେଳବାଇ ଥାନା ଅଞ୍ଚଳରେ ଘଟଣା ଘଟିଛି। ସେଠାରେ ଅଭିଯୋଗ କର ସେମାନେ ମଧ୍ୟ ଶୁଣି ନ ଥିଲେ ସେମାନେ ସେଠାରୁ ନିରାଶ ହୋଇ ଫେରିଲେ। ରାତିସାରା ନିରାକାରପୁର ଥାନାକୁ ନିରାକାରପୁର ରେଳବାଇ ସୁରକ୍ଷାବଳଙ୍କ ପାଖକୁ ଦୌଡ଼ିଦୌଡ଼ି ସକାଳ ହୋଇଥିଲା,ସକାଳ ସ୍ଥାନୀୟ ଅଞ୍ଚଳରେ ଘଟଣା ପ୍ରଘଟ ହେଲା। ପରେ ସ୍ଥାନୀୟ ଲୋକଙ୍କ ଚାପରେ ରେଳବାଇ ଜିଆରପି ପୋଲିସରେ ଉଭୟ ଦମ୍ପତି ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ରେଳବାଇ ଜିଆରପି ପୋଲିସ ଅଭିଯୋଗ ରଖି ୩୧/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ନିରାକାରପୁର ଅଞ୍ଚଳରେ ଏହା ପ୍ରଥମ ଘଟଣା ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହା ଏକ ଆଲୋଡନାର ବିଷୟ ପାଲିଟିବା ସହିତ ଅଞ୍ଚଳବାସୀଙ୍କୁ ଆଲର୍ଟ କରାଯାଇଛି। ଯଦି ସାହି ପଡିସା ଘରେ କେହି ଛୋଟପିଲା କାନ୍ଦେ ତେବେ ସାଙ୍ଗେ ସାଙ୍ଗେ ତାଙ୍କ ଘର ଚେକ୍ କର ବୋଲି କୁହାଯାଇଛି। ଶିଶୁପୁତ୍ରକୁ ଖୋଜି ଆଣିବାକୁ ମାତାପିତା ଗୁହାରି କରିଛନ୍ତି।
Dharitri – Odisha’s No.1 Odia Daily

