ପରାର୍ଥ ଜୀବନର ଅନୁଭବ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ଜଧାନୀର ରେଳଷ୍ଟେଶନକୁ ଛୁଇଁଥିବା ଫୁଟ୍‌ପାଥ୍‌ର ଗୋଟିଏ କଡ଼ରେ ସେ ଶୋଇ ଯାଇଥିଲା। ତା’ ଜୀବନର ଯାତ୍ରା ଶେଷ ହୋଇ ଯାଇଥିଲା ଚିରଦିନ ପାଇଁ ସେଇଠି। ଲୋକେ ଯିବାଆସିବା କରୁଥିଲେ। ଟିକେ ଆଖି ପକାଇ ଦେଖି ନେଉଥିଲେ ସେଇ ମଣିଷଟିକୁ। ”ଆହା! ବିଚରା ଶେଷରେ ଚାଲିଗଲା“- ଭଳି ଆତ୍ମିୟତାସୂଚକ ମନ୍ତବ୍ୟ ଭାସି ଆସୁଥିଲା ସବୁରି କଣ୍ଠରୁ। ବାସ୍‌, ତା’ପରେ ଯିଏ ଯା’ ବାଟରେ ଚାଲିଯାଉଥିଲେ ନିଜ ନିଜ କାମରେ। ଶୂନ୍ୟ ଆକାଶକୁ ସେମିତି ଚାହିଁ ରହିଥିଲା ଶବଟିର ଅଧାମୁଦା ଆଖି ଯୋଡ଼ିକ। ମହାନଗର ନିଗମର ମେହେନ୍ତରମାନଙ୍କୁ ଅପେକ୍ଷା କରୁଥିଲା ରାଜଧାନୀର ପ୍ରଦୂଷଣମୁକ୍ତ ପରିବେଶ।
ସେଇ ଭିକାରିଟି ପୂର୍ବ ଚାରିଦିନ ଧରି ମୁମୂର୍ଷୁ ଅବସ୍ଥାରେ ସେଇଠି ପଡ଼ି ରହିଥିଲା। ତା’ ରୋଗଣା ଦେହକୁ ନେଇ ଆହାର ଖୋଜିବାକୁ ବା ଚିକିତ୍ସା କରିବାକୁ ତା’ର ଶକ୍ତି ନ ଥିଲା। ନିତିଦିନ ସେଇ ରାସ୍ତା ଦେଇ ଯା’ଆସ କରୁଥିବା ଶହ ଶହ ଲୋକଙ୍କ ମଧ୍ୟରୁ କେହି ବି ଜଣେ ସେଇ ଅସହାୟ ଅସୁସ୍ଥ ଲୋକଟିକୁ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ ହୁଏତ ଜଣେ ମଣିଷ ବଞ୍ଚତ୍ ଯାଇଥାନ୍ତା ଓ ଅନ୍ୟ ଜଣଙ୍କର ମଣିଷତ୍ୱ ପରିସ୍ଫୁଟିତ ହୋଇଥା’ନ୍ତା! ନିଜ ଜୀବନକୁ ମନ ମୁତାବକ ଲାଳିତ କରିବାକୁ ଯେଉଁଠି ସମୟ ନିଅଣ୍ଟ, ସେଠି ଜଣେ ଅପରିଚିତର ଜୀବନ ରକ୍ଷା ପାଇଁ କିଏ କାହିଁକି ସମୟ ଅପଚୟ କରନ୍ତା! ନିଜ ନିଜର ଇଲାକାରେ ବ୍ୟସ୍ତ ରହି ଆଗକୁ ମାଡ଼ିଯିବା ହିଁ ଏକ ସଫଳ ଜୀବନର ପରିଚୟ। ଯିଏ ଏହା ନ କରି ଅନ୍ତରରେ ଉଦ୍‌ବେଳିତ ମାନବିକତାର ଆହ୍ବାନରେ ଆମୋଦିତ ହୁଏ ତଥା ପରାର୍ଥ ଜୀବନର ମୁଗ୍ଧ ଅନୁଭବରେ ଅନୁରକ୍ତି ପ୍ରକାଶ କରେ, ସେ ବହୁ ପଛରେ ପଡ଼ିଯାଏ। ବିଫଳ ହୋଇଯାଏ ତା’ର ଦୁର୍ଲଭ ଜୀବନ! କେଜାଣି!!
ଭଳି ସଂଭ୍ରାନ୍ତ ସହରୀ ଜୀବନରେ ଯେ କେବଳ ସ୍ବାର୍ଥସେବାର ସଡ଼କରେ ସଭିଏଁ ସହଯାତ୍ରୀ, ତାହା ନୁହେଁ; ଗ୍ରାମ୍ୟ ଜୀବନ ବି ଏହି ସ୍ବାର୍ଥସର୍ବସ୍ବ କୋଳାହଳରୁ ମୁକ୍ତ ନୁହେଁ। କେଇଦିନ ତଳେ ଏକ ଗାଁର କଲେଜ ଛାତ୍ରୀ ଜଣଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ଚାଲିଗଲା। ତା’ର ବାପା ପ୍ରବାସରେ ଥିବାରୁ ମା’ ଗାଁର ପ୍ରତିବେଶୀମାନଙ୍କୁ ନେହୁରା ହୋଇ ଝିଅଟିର ଶବ ଆଣିବାକୁ ବିକଳ ଅନୁରୋଧ କଲେ। ଅଥଚ ପଡ଼ିଶାଘରର ଜଣେ ଯୁବ ପ୍ରାଥମିକ ଶିକ୍ଷକ କହିଲେ, ”କ’ଣ କରିବି! ମୋର ଆଜି ସ୍କୁଲ ନ ଥିଲେ ନିଶ୍ଚୟ ଯାଇଥା’ନ୍ତି।“ ଶିକ୍ଷକଙ୍କ ପାଇଁ ସବୁ ମୃତ୍ୟୁ ଯେମିତି ଛୁଟିଦିନରେ ଆସିବା ଅବଧାରିତ! ଗାଁରେ ଦୋକାନ ଦେଇଥିବା ଅନ୍ୟ ଜଣେ କହିଲେ, ”ମୁଁ ଯାଇଥା’ନ୍ତି ଯେ ହେଲେ ଗାଡ଼ି ଆଜି କଟକରୁ ମାଲ ନେଇ ଆସିବ ତ!“ ନିଜ ପରିବାରରେ ଏମିତି କିଛି ଘଟିଥିଲେ ବେପାରୀଙ୍କ ବେପାର କିଏ ସମ୍ଭାଳିଥା’ନ୍ତା କେଜାଣି! ସମାଜସେବାର ଆଭିମୁଖ୍ୟ ନେଇ ଗଠିତ ଗାଁ ଯୁବକ ସଂଘର ପିଲାଟିଏ ମନ୍ତବ୍ୟ ଦେଲା, ”ମୋ’ ପାଇଁ ଏଇଟା କିଛି ବଡ଼ କଥା ନୁହେଁ। କିନ୍ତୁ ଏମିତି ଆକ୍ସିଡେଣ୍ଟରେ ମୁଣ୍ଡ ପୂରାଇ ଅଯଥା ପୋଲିସ ପାଖରେ କିଏ କାହିଁକି ଆଣ୍ଠୋଇବ ଯେ!“ ଯୌବନର ଉଜ୍ଜ୍ୱଳ ଜ୍ୟୋତି ନିକଟରେ ମୃତ୍ୟୁ ଭଳି ଏକ ଚିରନ୍ତନ ଅନ୍ଧକାର ସତେ ଯେମିତି ସତତ ପରାହତ। ଜୀବନବୋଧର ପ୍ରହେଳିକା ମଧ୍ୟରେ ଏକ ମିଥ୍ୟା ପ୍ରତ୍ୟୟକୁ ପ୍ରଶ୍ରୟ ନ ଦେଇ ସେଦିନ ଯେଉଁ କବି ଜଣକ ବୈରାଗ୍ୟର ଗୀତ ଗାଇ ଉଠିଥିଲେ- ‘ଛଅଖଣ୍ଡ କାଠ ହେବ ତୋ ପାଇଁ ଲୋଡ଼ା’, ସେଇ କବିଙ୍କ ଚଉତିଶାଟି ଇତିମଧ୍ୟରେ ନିଜ ମହତ୍ତ୍ୱ ହରାଇ ବସିଲାଣି ନିଶ୍ଚୟ। ତା’ ନ ହେଲେ ସ୍ବାର୍ଥର ସଡ଼କରେ ବାଟ ଚାଲି ଅନ୍ୟର ଦୁଃଖ ପ୍ରତି ଆଖି ବୁଜି ଦେଉଥିବା ଗାଁ ଲୋକଙ୍କ ମଧ୍ୟରୁ କେହି ଜଣେ ବାହାରି ଆସି ନ ଥା’ନ୍ତେ ଗାଁ ଝିଅଟିର ଶବକୁ ଗାଁ ମାଟିକୁ ଫେରାଇ ଆଣିବା ପାଇଁ। ସମଗ୍ର ବସୁଧାକୁ ନିଜର କୁଟୁମ୍ବ ମନେକରୁଥିବା ଗ୍ରାମ୍ୟ ସଂସ୍କୃତିର ପରିବେଶ ଯେତେବେଳେ ବ୍ୟକ୍ତି ସ୍ବାର୍ଥର ବିଲକ୍ଷଣ ମଧ୍ୟରେ ଏମିତି ପ୍ରଦୂଷିତ, ସେତେବେଳେ ରାଜଧାନୀର ସହରୀ ଜୀବନ ଭିତରେ ଅସୁସ୍ଥ ଅସହାୟକୁ ହସ୍ପିଟାଲ ନେବା ପାଇଁ ଦରଦୀ ମଣିଷ ଜଣେ କାହଁୁ ବା ମିଳନ୍ତା!
ଏଠି ବାଟ ଚାଲୁଚାଲୁ ଅବଶ ବୃଦ୍ଧ କେହି ଝୁଣ୍ଟିପଡ଼ିଲେ ଉଠାଇବାକୁ କେହି ଆସିବେନି କି ରାସ୍ତା ଉପରେ ଭୁଜାଲି ଦେଖାଇ ଲୁଟିନେଲେ ବି ସାହା ହେବାକୁ କେହି ମିଳିବେନି। ଏଠି ଜଣଙ୍କ ଘରେ ଡକାୟତି ହେଲେ ପଡ଼ିଶା ଘରର ନିଦ ଭାଙ୍ଗିଲେ ବି କେହି ଉଠିବେ ନାହିଁ କି ଏପଟ ଘରର କେହି ମରିଗଲେ ତାଙ୍କ ପୁଅନାତି ଲଣ୍ଡା ନ ହେବାଯାଏଁ ସେପଟ ଘରର ଲୋକେ ଜାଣିବେ ନାହିଁ। ଉଭୟ ଗାଁ ଓ ସହରର ଆଧୁନିକ ଜୀବନର ପରିଭାଷା ଦ୍ରୁତ ଗତିରେ ‘ବସୁଧୈବ କୁଟୁମ୍ବକମ୍‌’ ଭଳି ଏକ ପ୍ରାଚୀନ ବିଚାରଠାରୁ ଦୂରେଇ ଯାଉଥିବା ବେଳେ ଏମିତି କିଛି ହାତଗଣତି ଲୋକ ନିଜ ନିଜର ନିଆରା ଉଦାହରଣ ନେଇ ଉଭା ହୁଅନ୍ତି, ଯେଉଁମାନଙ୍କୁ ଦେଖି ମନେହୁଏ ଏ ସଂସାରରେ ପରାର୍ଥ ଜୀବନର ଓଁକାର ଉଚ୍ଚାରଣ ତଥାପି ନିନାଦିତ ହୋଇ ଚାଲିଛି।
କେଇବର୍ଷ ତଳେ ଦିଲ୍ଲୀର ‘ଉପହାର’ ସିନେମା ହଲ୍‌ରେ ନିଆଁ ଲାଗି ଯେତେବେଳେ ବାଷଠି ଜଣ ଲୋକ ଅକାଳରେ ଜଳି ଯାଇଥିଲେ, ସେତେବେଳେ ଯୁବକଟିଏ ବାରମ୍ବାର ପ୍ରେକ୍ଷାଳୟର ଅଗ୍ନିବଳୟ ମଧ୍ୟକୁ ପଶିଯାଉଥିଲା ଓ ଜଣଙ୍କ ପରେ ଜଣଙ୍କୁ ଉଦ୍ଧାର କରି ବାହାରକୁ ନେଇଆସୁଥିଲା। ଏମିତି ଚାରିଜଣଙ୍କୁ ମରଣ ମୁହଁରୁ ବଞ୍ଚାଇ ସାରିଲାବେଳକୁ ସେ ମଧ୍ୟ ନିଜେ ଅଗ୍ନିଝାସରେ ସିଝି ଯାଇଥିଲା। ମାତ୍ର ତାହାକୁ ଖାତିର ନ କରି ସେ ପୁଣି ଥରେ ହଲ୍‌ ମଧ୍ୟକୁ ପଶୁଥିଲା ବେଳେ କେହି ଜଣେ ପଚାରିଦେଲେ- ”ତୁମର ଆଉ କେହି ସମ୍ପର୍କୀୟ କ’ଣ ନିଆଁଘେରରେ ରହିଯାଇଛନ୍ତି?“ ଯୁବକଟି ଅଳ୍ପ ହସି ଉତ୍ତର ଦେଇଥିଲା, ”ଏଇ ଚାରିଜଣ କେହି ବି ମୋର ପରିଚିତ ନୁହନ୍ତି; ସମ୍ପର୍କୀୟ ତ ଦୂରର କଥା।“ ପରାର୍ଥପ୍ରାଣତାର କି ଅପୂର୍ବ ଆବେଦନ! କି ଉଜ୍ଜ୍ୱଳ ଉଦାହରଣ!
ନୀଳାଚଳ ଏକ୍ସପ୍ରେସ୍‌ରେ ଦିଲ୍ଲୀରୁ କଟକ ଆସୁଥା’ନ୍ତି ମିଶ୍ରବାବୁ। ଅଚାନକ ଆଲ୍ଲାହାବାଦ ଷ୍ଟେଶନ ପୂର୍ବରୁ ଉତ୍କଟ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହୋଇ ସେ ଚେତା ହରାଇ ବସିଲେ। ସେଇ ବଗିରେ ସପରିବାର ଦିଲ୍ଲୀରୁ ଟାଟା ଆସୁଥାଆନ୍ତି ଜଣେ ବିହାରୀ ଯାତ୍ରୀ ଶ୍ରୀଯୁକ୍ତ ସିହ୍ନା। ସାଙ୍ଗରେ ଥିବା ନିଜ ପତ୍ନୀ ଓ ପିଲା ଦୁହିଁଙ୍କୁ ତାଙ୍କ ବିହୁନେ ଅବଶିଷ୍ଟ ଯାତ୍ରା ଶେଷ କରିବାକୁ ସେ ରାଜି କରାଇଲେ ଓ ଅଚେତ ଓଡ଼ିଆ ଯାତ୍ରୀଙ୍କୁ ଧରି ନିଜେ ଆଲ୍ଲାହାବାଦ ଷ୍ଟେଶନରେ ଓହ୍ଲାଇ ପଡ଼ିଲେ। ଏକ ଅଜଣା ସହରରେ ଜଣେ ଅପରିଚିତ ଅଚେତ ସହଯାତ୍ରୀଙ୍କୁ ଚିକିତ୍ସା ସେବା ଯୋଗାଇ ଏକ ଅମୂଲ୍ୟ ଜୀବନ ରକ୍ଷା କରିଥିବା ସିହ୍ନାବାବୁଙ୍କର ଅନୁଭବ କିପରି ହୋଇଥିବ କେଜାଣି, କିନ୍ତୁ ଆଶୁ ଚିକିତ୍ସା ଲାଭ କରି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚତ୍ ଯାଇଥିବା ମିଶ୍ରବାବୁଙ୍କ ଅନୁଭବ ଥିଲା ଅତ୍ୟନ୍ତ ଅଭିନବ। ଦୁଇଦିନ ଆଲ୍ଲାହାବାଦରେ ଚିକିତ୍ସିତ ହୋଇ, ସେଠାରୁ ଟାଟା ଆସି ସିହ୍ନାବାବୁଙ୍କ ସହ ଦିନଟିଏ ବିତାଇ କଟକ ଫେରିଆସିଲା ପରେ ସେ ନିଜ ପତ୍ନୀଙ୍କୁ କହିଥିଲେ, ”ବର୍ଷ ବର୍ଷ ଧରି ଠାକୁର ଘରେ ଈଶ୍ୱରଙ୍କ ନିଶ୍ଚଳ ପ୍ରତିମାକୁ ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କରି ଆସୁଥିଲି। ଈଶ୍ୱର ଯେ ସିହ୍ନାବାବୁଙ୍କ ରୂପ ନେଇ ଟ୍ରେନ୍‌ରେ ସହଯାତ୍ରୀ ହୁଅନ୍ତି, ଏହା ପ୍ରଥମ କରି ଦେଖିଲି।“ କେବଳ ନିଜକୁ ଓ ନିଜ ସଂସାରକୁ ନେଇ ଗଢ଼ା ହୋଇଥିବା ସଂକୀର୍ଣ୍ଣ ଦୁନିଆର ସୀମା ଅତିକ୍ରମ କରି ସାରା ସଂସାରକୁ ନିଜ ପରିବାର ମନେକରୁଥିବା ସିହ୍ନାବାବୁଙ୍କ ପରି ପରାର୍ଥପ୍ରାଣ ମଣିଷମାନେ ଏମିତି ଅନ୍ୟମାନଙ୍କ ପାଇଁ ଈଶ୍ୱର ପାଲଟିଯାଆନ୍ତି। ଏମାନଙ୍କ ଜୀବନ ଓ ଜଗତ ଉଭୟ ପାଲଟିଯାଏ ଈଶ୍ୱରଙ୍କ ପରି ବିଶାଳ ଓ ବିସ୍ତାରିତ।

ପ୍ରଜ୍ଞାନିଳୟ
ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri