ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି କରିଥିବା ଅଭିଯୋଗ ହୋଇଛି। ଘର ମାଲିକା ଏସ୍. ସନ୍ତୋଷିନି ନିଜ ପରିବାର ସହ ସମ୍ପର୍କୀୟଙ୍କ ଅସୁସ୍ଥତା କାରଣରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।
ଶନିବାର ସକାଳେ ପଡ଼ୋଶୀମାନେ ଘରର ତାଲା ଭଙ୍ଗାଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପରେ ସନ୍ଧ୍ୟାରେ ସନ୍ତୋଷିନି ଘରକୁ ଫେରି ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଘରୁ ନଗଦ ୫ ଲକ୍ଷ ୫୦ ହଜାର ଟଙ୍କା, ପ୍ରାୟ ୭ ଭରି ସୁନା ଅଳଙ୍କାର, ୧୫ଟି ରୂପା ପାଉଁଜି ସମେତ ଅନ୍ୟାନ୍ୟ ରୂପା ସାମଗ୍ରୀ ଚୋରି ହୋଇଛି।
ଏହି ଘଟଣା ନେଇ ଆଦର୍ଶ ଥାନା ପୋଲିସ କେସ୍ ନଂ. ୩୨୭/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ କରିବା ସହ ଚୋରମାନଙ୍କୁ ଧରିବା ପାଇଁ ଖୋଳତାଡ଼ ଆରମ୍ଭ କରିଛି। ତେବେ ତଦନ୍ତ ପରେ ହିଁ ପ୍ରକୃତ କ୍ଷୟକ୍ଷତି ଓ ସମ୍ପତ୍ତିର ପରିମାଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।