‘ପାରାଦୀପ ଦେଶର ୧ ନମ୍ବର ବନ୍ଦର ହେବ’

ପାରାଦୀପ,୨୭।୧୧(ସ୍ବ.ପ୍ର.): ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର ଶୁକ୍ରବାର ପାରାଦୀପ ଗସ୍ତରେ ଆସି ଖୁବ୍‌ଶୀଘ୍ର ଏହି ବନ୍ଦର ଦେଶର ୧ ନମ୍ବର ବନ୍ଦର ହେବାକୁ ଯାଉଛି ବୋଲି କହିଛନ୍ତି। ସେ ପୂର୍ବାହ୍ନରେ ସ୍ଥାନୀୟ ଜବାହର ଅତିଥି ଭବନରେ ପହଞ୍ଚତ୍ ଥିଲେ। ସେଠାରେ ବନ୍ଦର ଅଧ୍ୟକ୍ଷ ପି.ଏଲ. ହାରାନ୍ଧ ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ସିଆଇଏସ୍‌ଏଫ୍‌ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ପରେ ସେ ବନ୍ଦର ନିଷିଦ୍ଧାଞ୍ଚଳକୁ ଯାଇ ପଣ୍ୟ କାରବାର ସ୍ଥିତି ଅନୁଧ୍ୟାନ କରିଥିଲେ। ସାରେ ମଧୁବନସ୍ଥିତ ଅଫିସର୍ସ କ୍ଲବ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବନ୍ଦରର କାର୍ଯ୍ୟପନ୍ଥା ଉପରେ କହିଥିଲେ। ସେ କହିଥିଲେ, ପାରାଦୀପ ଏବେ ଦେଶର ଦ୍ବିତୀୟ ବୃହତ୍‌ବନ୍ଦର ଭାବେ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଗତିଶକ୍ତି ଯୋଜନା ଆଧାରରେ ଏଠାରେ ୧୦ ହଜାର କୋଟି ଟଙ୍କାର ନୂତନ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ନ୍ୟାଶନାଲ ମେରିଟାଇମ ପାଇପଲାଇନ ଜରିଆରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ଏଥିରେ ଏନ୍‌ଆରଏଲ(ନୁମାଲି ଗଡ ରିଫାଇନେରି), ତ୍ରିବେଣୀ ଆର୍ଥ ଆଣ୍ଡ ମୁଭର୍ସ, ଏସାର ଷ୍ଟିଲ, ବହୁମୁଖୀ କଣ୍ଟେନର କାର୍ଗୋ ପାଇଁ ଏଲପିଜି ଟର୍ମିନାଲ, ମଲ୍ଟି ମୋଡାଲ କରିଡର ଆଦି ରହିଛି। ଏହି କାର୍ଯ୍ୟ ଦୁଇବର୍ଷ ମଧ୍ୟରେ ଶେଷ ହେବ। ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ପାଇଁ ଏସବୁ କରାଯାଇଛି। ଏହାବାଦ ପୋର୍ଟରେ ବୃହତ୍‌ ଜାହାଜରୁ ମଧ୍ୟ ପଣ୍ୟକାରବାର କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏସବୁ କାର୍ଯ୍ୟକାରୀ ହେଲେ ବର୍ତ୍ତମାନ ଠାରୁ ଅଧିକ ୭୦ ମିଲିୟନ ଟନ ପଣ୍ୟ କାରବାର ହୋଇପାରିବ ବୋଲି ମନ୍ତ୍ରୀ ଠାକୁର ସୂଚନା ଦେଇଥିଲେ। ଅନ୍ୟ ସମସ୍ତ ପ୍ରସଙ୍ଗରେ ଅଧ୍ୟକ୍ଷ ହାରାନ୍ଧ ଖବରଦାତା ସମ୍ମିଳନୀରେ ମତ ରଖିଥିଲେ। ସେମାନଙ୍କ ସହ ବନ୍ଦର ଉପାଧ୍ୟକ୍ଷ ଏ.କେ. ବୋଷ ଉପସ୍ଥିତ ଥିଲେ।