ପାରାଦୀପ, ୭ା୨(ଶରତ ରାଉତ):ଜଗତ୍ସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ ଏବେ ୧୫ଟି ବୃହତ୍ ଶିଳ୍ପ ଅଛି। ଆଗାମୀ ଦିନରେ ଅନେକ ବଡ଼ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ସରକାରୀ ସ୍ତରରେ କୁହାଯାଉଛି। କିନ୍ତୁ ସରକାରଙ୍କ ପାଖରେ ସେପରି ତଥ୍ୟ ନ ଥିବା ଜଣାପଡ଼ିଛି। ପ୍ରତିଷ୍ଠା ହୋଇଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ କେତେ ଜାଗା ଦିଆଯାଇଛି, ତା’ର ମଧ୍ୟ ଠିକ୍ ସୂଚନା ମିଳିନାହିଁ। ଏପରି ଅନେକ ଅମେଳ ତଥ୍ୟ ସୂଚନା ଅଧିକାର (ଆର୍ଟିଆଇ) ଆଇନ ଜରିଆରେ ମିଳିଛି।
ପାରାଦୀପର ଶିଳ୍ପ ସଂଖ୍ୟା, ଉତ୍ପାଦନ, ନିଯୁକ୍ତି ପାଇଥିବା କର୍ମଚାରୀ, ଠିକାଶ୍ରମିକ ଆଦି ସମ୍ପର୍କରେ ଆମେ ଜଗତ୍ସିଂହପୁର ଜିଲା ଶିଳ୍ପ କେନ୍ଦ୍ର (ଡିଆଇସି)କୁ ୨୦୨୨ ଜାନୁଆରୀରେ ସୂଚନା ମାଗିଥିଲୁ। ଉକ୍ତ କେନ୍ଦ୍ରର ଜନସୂଚନା ଅଧିକାରୀ ୧୭ ଫେବୃଆରୀ ୨୦୨୨ରେ ପତ୍ରସଂଖ୍ୟା-୩୦୬ରେ ଦର୍ଶାଇଥିଲେ ଯେ, ତାଙ୍କ ପାଖରେ ସେଭଳି ତଥ୍ୟ ଉପଲବ୍ଧ ନାହିଁ। ପୁଣି ଦର୍ଶାଯାଇଥିଲା, ରାଜ୍ୟ ଶିଳ୍ପ ବିଭାଗ, ଇପିକଲ(ଇଣ୍ଡଷ୍ଟ୍ରିଆଲ୍ ପ୍ରମୋଶନ ଆଣ୍ଡ୍ ଇନଭେଷ୍ଟମେଣ୍ଟ କର୍ପୋରେଶନ ଅଫ୍ ଓଡ଼ିଶା ଲିମିଟେଡ୍) ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ପକ୍ଷରୁ ସୂଚନା ଦିଆଯିବ। ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ଅନୁଶାସନ ସଚିବ ତଥା ଲୋକ ସୂଚନା ଅଧିକାରୀ ଅଶୋକ କୁମାର ରାଉତରାୟ ୨୪ ଫେବୃଆରୀ ୨୦୨୨ରେ ସୂଚନା ଦେଇଥିଲେ (ପତ୍ର ସଂଖ୍ୟା ୧୯୦୫) ମଗା ଯାଇଥିବା ତଥ୍ୟ ଭାରି ଶିଳ୍ପ ବିଭାଗ ଅଧୀନରେ ଯାଉଛି। ଭାରିଶିଳ୍ପ ବିଭାଗର ଅନୁଶାସନ ସଚିବ ଏବଂ ଲୋକସୂଚନା ଅଧିକାରୀ ଅଶୋକ ଶର୍ମା ୨୮ ଫେବୃଆରୀ ୨୦୨୨ରେ ସୂଚନା ଦେଇଥିଲେ (ଚିଠି ନଂ ୨୦୨୫) ମଗାଯାଇଥିବା ସୂଚନା ଭାରିଶିଳ୍ପ ବିଭାଗ (ଉପ ବିଭାଗ-୨)ରେ ଉପଲବ୍ଧ ନାହିଁ।
ଉଲ୍ଲେଖଯୋଗ୍ୟ, ପାରାଦୀପ ବନ୍ଦର ୧୯୬୨ ଜାନୁଆରୀ ୩ରେ ଆରମ୍ଭ ହୋଇଥିଲା। ବନ୍ଦର ଯୋଗୁ ପର୍ଯ୍ୟାୟକ୍ରମେ ୧୫ଟି ବୃହତ୍ ଶିଳ୍ପ ହୋଇଛି। ସେଗୁଡ଼ିକ ହେଲା-୧୯୮୦ରେ ବିଅର ଫ୍ୟାକ୍ଟ୍ରି, ୧୯୮୨ରେ ପିପିଏଲ୍, ୧୯୯୮ରେ ଓସ୍ୱାଲ(ଏବେ ଇଫ୍କୋ), ୨୦୦୩ରେ ଗୋଆକାର୍ବନ, ୨୦୦୪ରେ କାରଗିଲ(ଏବେ ଆଦାନୀ ୱିଲମାର), ୨୦୦୪ରେ ଆଇଓସିଏଲ୍, ବିପିସିଏଲ୍, ଏଚ୍ପିସିଏଲ୍ର ୩ଟି ବୃହତ୍ ଟର୍ମିନାଲ, ୨୦୦୭ରେ ଏସାରଷ୍ଟିଲ(ଏବେ ଏଏମ୍ଏନ୍ଏସ୍), ୨୦୦୮ରେ ଆଇଓସିଏଲ୍ ତୈଳବିଶୋଧନାଗାର, ଆଇଓସିଏଲ୍ ପାଇପ୍ଲାଇନ ପ୍ରକଳ୍ପ, ୨୦୧୦ରେ ପାରାଦୀପ କାର୍ବନ, ୨୦୧୩ରେ ଆଇଓସିଏଲ୍ ଗ୍ୟାସ୍ ଟର୍ମିନାଲ ହୋଇଛି। ଏହାବାଦ୍ ଆଉ ଦୁଇଟି ଶିଳ୍ପ ଗଢ଼ିଉଠିଥିବା ବେଳେ ଏବେ ୬ଟି ବୃହତ୍ ଶିଳ୍ପ ପାଇଁ କାମ ଚାଲିଛି। ଏହି ଶିଳ୍ପ ସଂସ୍ଥା ଯୋଗୁ ଅନେକ ଆନୁଷଙ୍ଗିକ କ୍ଷୁଦ୍ର ଶିଳ୍ପ ଗଢ଼ିଉଠିଛି। କିନ୍ତୁ ଓଡ଼ିଶା ସରକାରଙ୍କ ରେକର୍ଡରେ ତାହା ନାହିଁ ବୋଲି କୁହାଯାଇଛି। ସେହିପରି କେଉଁ ଶିଳ୍ପ ପାଇଁ କେତେ ଜାଗା ଦିଆଯାଇଛି ତା’ର ତଥ୍ୟ ମଧ୍ୟରେ ତାଳମେଳ ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଆମେ ଜଗତ୍ସିଂହପୁର ଜିଲ୍ଲା ସ୍ବତନ୍ତ୍ର ଭୂଅର୍ଜନ ଉପ ବିଭାଗ ପାରାଦୀପକୁ ସୂଚନା ମାଗିଥିଲୁ। ଜିଲା ସ୍ବତନ୍ତ୍ର ଭୂଅର୍ଜନ ବିଭାଗ ୧୦ ସେପ୍ଟେମ୍ବର ୨୦୨୪ (ଚିଠି ନଂ. ୩୪୧)ରେ ଦର୍ଶାଇଛନ୍ତି ଯେ, ତାଙ୍କ ପାଖରେ କିଛି ଉପଲବ୍ଧ ନାହିଁ (ନଟ୍ ଆଭେଲେବଲ୍)।
ଶିଳ୍ପ ପାଇଁ ଜାଗା ସମ୍ପର୍କରେ ପୁଣି ଆମେ ଇଡ୍କୋ (ଓଡିଶା ଶିଳ୍ପ ଉନ୍ନୟନ ଭିତ୍ତିଭୂମି ନିଗମ)ଙ୍କୁ ୨୪ ଅଗଷ୍ଟ ୨୦୨୪ରେ ସୂଚନା ମାଗିଥିଲୁ। ଏହି ପ୍ରସଙ୍ଗରେ ଇଡ୍କୋ ଜମି ଅଧିକାରୀ ଓ ଲୋକସୂଚନା ଅଧିକାରୀ ଅରୁନ୍ଧତୀ ପଟ୍ଟନାୟକ ୧୯ ସେପ୍ଟେମ୍ବର ୨୦୨୪ରେ ୧୨ ପୃଷ୍ଠା ସମ୍ବଳିତ ଉତ୍ତର (ଚିଠି ନଂ. ୨୯୯୫୬)ରେ ଯେଉଁ ସୂଚନା ଦେଇଛନ୍ତି ସେଥିରେ ଅନେକ ଅସମାନତା ନଜରକୁ ଆସିଛି। ଯଥା ଇଫ୍କୋ ୨,୧୧୧ ଏକର, ପିପିଏଲ୍ ୪୮୭ ଏକର, ଏଏମ୍ଏନ୍ଏସ୍ ୧,୪୧୯ ଏକର, ଗୋଆ କାର୍ବନ ୨.୫୨ଏକର, ପାରାଦୀପ କାର୍ବନ ୪.୯୬ ଏକର, ଦୀପକ ଫର୍ଟିଲାଇଜର ୫୬୦ ଏକର, ଆଇଓସିଏଲ୍ ତୈଳ ବିଶୋଧନାଗାର ୩,୩୪୪ ଏକର, ଜେଏସ୍ଡବ୍ଲ୍ୟୁ ୨,୯୪୮ ଏକର, ସଂରକ୍ଷିତ ଲ୍ୟାଣ୍ଡ୍ ବ୍ୟାଙ୍କରେ ୧,୪୧୧ ଏକର ଜାଗା ରହିଛି। ଜମିର ମୂଲ୍ୟ ଓ ବାର୍ଷିକ ଦେୟ ମଧ୍ୟ ସୂଚନାରେ ଦର୍ଶାଯାଇଛି। ଏଏମ୍ଏନ୍ଏସ୍ ୧,୪୧୯ ଏକର ଦର୍ଶାଯାଇଥିବା ବେଳେ କୁଜଙ୍ଗ ତହସିଲ ରେକର୍ଡରେ ରହିଛି ୧,୬୬୬ ଏକର। ସେହିପରି ଇଫ୍କୋର ୨,୩୧୫ ଏକର, ଗୋଆ କାର୍ବନ୍ର ୧୨ ଏକର ରହିଛି। ଅନୁରୂପ ଭାବେ ଏଥିରେ ପିପିଏଲ୍ ପାଇଁ ମାତ୍ର ୪୮୭ ଏକର ଦର୍ଶାଯାଇଛି। କିନ୍ତୁ ବାସ୍ତବରେ ପିପିଏଲ୍ର ୨,୩୦୦ ଏକରରୁ ଅଧିକ ଜାଗା ରହିଛି। ବିଅର ଫ୍ୟାକ୍ଟ୍ରି କଥା କିଛି ନାହିଁ। ଏଠାରେ ଯାହା ବିଷୟରେ ସରକାରୀ ତଥ୍ୟ ହସ୍ତଗତ ହୋଇଛି ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ନିଯୁକ୍ତି, ପ୍ରଦୂଷଣ, ଠିକାଶ୍ରମିକ ସଂଖ୍ୟା, ସିଏସ୍ଆର୍ ବ୍ୟୟ ରିପୋର୍ଟ, ଜଳକର, ଉତ୍ପାଦ ରପ୍ତାନି, ଆୟବ୍ୟୟ କ୍ଷେତ୍ରରେ ଅନେକ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। ଗୋଟିଏ ପଟେ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରିବା, ନିଯୁକ୍ତି ସୃଷ୍ଟି କରିବା ଭଳି ବାର୍ତ୍ତା ସରକାରୀ ସ୍ତରରେ କରାଯାଉଛି। କିନ୍ତୁ ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି, ତା’ର କୌଣସି ସୂଚନା ମିଳୁନାହିଁ। ଫଳରେ ପାରାଦୀପ ଶିଳ୍ପାଞ୍ଚଳ ସମ୍ପର୍କରେ ଅନେକ ତଥ୍ୟ ଅନ୍ଧାରରେ ରହିଯାଇଛି।


