ବଜ୍ରକାପ୍ତା ଚାଲାଣବେଳେ ଧରାପଡ଼ିଲା, ୩୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାନ୍ତା

ଭୁବନେଶ୍ୱର (ବ୍ୟୁରୋ), ବଡ଼ମ୍ବା (ଡି.ଏନ୍‌.ଏ.), ୧୮ା୪: ରାଜ୍ୟରେ ବେଧଡ଼କ ଚାଲିଛି ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ। ଶୁକ୍ରବାର ଆଉଏକ ବଜ୍ରକାପ୍ତା ଚୋରା ଚାଲାଣ ର଼୍ୟାକେଟକୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଧରିଛି। ର଼୍ୟାକେଟରେ ସମ୍ପୃକ୍ତ ଜଣେ ଚାଲାଣକାରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତ ହେଲେ କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ ଶରଧାପୁରର କେଶବ ସାହୁ (୪୩)। ଉଦ୍ଧାର ବଜ୍ରକାପ୍ତାଟି ୪ ଫୁଟ୍‌ ଲମ୍ବର ହୋଇଥିବାବେଳେ ଓଜନ ୧୪ କିଗ୍ରା ହେବ। ଏହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ ୩୫ଲକ୍ଷ ଟଙ୍କା ହେବ। ଏନେଇ ଏସ୍‌ଟିଏଫ୍‌ କେଶବଙ୍କ ବିରୋଧରେ ମାମଲା ନଂ.୧୪/୨୧ ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ବଜ୍ରକାପ୍ତାଟିକୁ ଆଠଗଡ ଡିଏଫ୍‌ଓଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଏହା ପଛରେ ଏକ ଅନ୍ତର୍ଜାତୀୟ ର଼୍ୟାକେଟ୍‌ର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ ସହ ଅଧିକ ଖୋଳତାଡ଼ ଆରମ୍ଭ କରିଛି। ଏସ୍‌ଟିଏଫ୍‌। ସୂଚନା ଅନୁଯାୟୀ, ବନ୍ୟଜନ୍ତୁ ଚୋରାଚାଲାଣ ରୋକିବାକୁ ଏସ୍‌ଟିଏଫ୍‌ ପକ୍ଷରୁ ବର୍ଷକ ତଳେ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ କରାଯାଉଛି। ବନ୍ୟ ଜନ୍ତୁ ଚୋରା ଚାଲାଣକାରୀଙ୍କ ଉପରେ ଲଗାତର ନଜର ରଖାଯାଇଛି। ଖବର ପାଇବାମାତ୍ରେ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ର଼୍ୟାକେଟକୁ ଧରୁଛନ୍ତି। ଶୁକ୍ରବାର କଟକ ଅଭିମାନପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଏକ ଜୀବନ୍ତ ବଜ୍ରକାପ୍ତା ବିକ୍ରି ପାଇଁ ନେଉଥିବା ଖବର ପାଇ ଏସ୍‌ଟିଏଫର ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। କେଶବଙ୍କୁ ଧରି ତାଙ୍କ ବ୍ୟାଗ୍‌ ଯାଞ୍ଚ କରାଯିବାରୁ ସେଥିରୁ ଜୀବନ୍ତ ବଜ୍ରକାପ୍ତା ମିଳିଥିଲା। ପରେ ତାଙ୍କୁ ସ୍ଥାନୀୟ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ଉକ୍ତ ବଜ୍ରକାପ୍ତାଟିକୁ ସେ ବିକ୍ରି କରିବାକୁ ଅନ୍ୟଜଣେ ବ୍ୟବସାୟୀଙ୍କୁ ଅପେକ୍ଷା କରିଥିଲେ ବୋଲି କହିଥିଲେ। ସେ ବ୍ୟବସାୟୀ ଜଣକ କିଏ ଓ ବଜ୍ରକାପ୍ତାକୁ କେଉଁଠୁ ଧରିଲ ସେ ସମ୍ପର୍କରେ ଅଭିଯୁକ୍ତ ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ତେବେ ପରେ ତାଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଏସ୍‌ଟିଏଫ୍‌ର ଜଣେ ଅଧିକାରୀ କହିଛନ୍ତି।