ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପୂର୍ବରୁ ବରଗଡ଼ ଜିଲା କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି । ପ୍ରାର୍ଥୀ ଚୟନରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି କଂଗ୍ରେସ ଓବିସି ସେଲ୍‌ ଜିଲା ଚେୟାରମ୍ୟାନ ପାଣ୍ଡବ କର୍ଣ୍ଣ ଅଭିଯୋଗ କରିଛନ୍ତି। ଦଳ ଯଦି ଏହାର ପୁନର୍ବିଚାର ନ କରେ, ସେ ଆଗାମୀ ନିର୍ବାଚନରେ ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ରବିବାର ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପାଣ୍ଡବ କହିଛନ୍ତି।

ପାଣ୍ଡବ ଆହୁରି କହିଛନ୍ତି, ସେ ଗତ ୧୯୮୨ରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଈନ୍ଦିରା ଗାନ୍ଧୀଙ୍କ ନୀତି, ଆଦର୍ଶରେ ଅନୁପ୍ରାଣୀତ ହୋଇ ଛାତ୍ରାବସ୍ଥାରୁ କଂଗ୍ରେସରେ ସାମିଲ ହୋଇଥିଲେ । ଲରମ୍ଭା କଲେଜ ଛାତ୍ର ସଂସଦ ସଭାପତିଠାରୁ ଆରମ୍ଭ କରି ଜିଲା ପରିଷଦ ସଭ୍ୟ ନିର୍ବାଚିତ ହେବା ସହିତ ଏପର୍ଯ୍ୟନ୍ତ ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ କାମ କରି ଆସୁଛନ୍ତି । କଟାପାଲି ପ୍ରାଥମିକ କୃଷି ସମବାସୟ ସମିତିର ନିର୍ଦ୍ଦେଶକ ରହିଛନ୍ତି । ଛାତ୍ର କଂଗ୍ରେସ, ଯୁବ କଂଗ୍ରେସର ବିଭିନ୍ନ ପଦବୀ ସମେତ ଦଳ ଯେତେବେଳେ ତାଙ୍କୁ ଯେଉଁ କାମ ଦେଇଛି, ତାକୁ ସେ ସମ୍ପାଦନ କରି ଆସିଛନ୍ତି।

କଂଗ୍ରେସ ପ୍ରତି ସେ ନିଜ ଜୀବନ ସମର୍ପିତ କରିଥିବା ସତ୍ତ୍ବେ ଦଳ ତାଙ୍କୁ ଅଣଦେଖା କରିଥିବା ପାଣ୍ଡବ ଅଭିଯୋଗ କରିଛନ୍ତି । ୧୯୯୫ ମସିହାରୁ ସେ ଦଳୀୟ ଟିକେଟ୍‌ ପାଇଁ ଦାବି କରି ଆସୁଛନ୍ତି । ମାତ୍ର ଦଳ ତାଙ୍କୁ ବାରମ୍ବାର ଅଣଦେଖା କରି ଆସୁଛି ଏବଂ ନିର୍ବାଚନ ସମୟରେ ପ୍ରାର୍ଥୀ ଚୟନରେ ପ୍ରିୟାପ୍ରୀତି ପୋଷଣ ନୀତି ଚାଲିଥିବା ପାଣ୍ଡବ ଅଭିଯୋଗ କରିଛନ୍ତି।

ଏଭଳି ସ୍ଥଳେ ଦଳ ଯଦି ପୁନର୍ବିଚାର ନ କରେ, ସେ ଆଗାମୀ ନିର୍ବାଚନରେ ବରଗଡ଼ ବିଧାନସଭାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଦଳମତ ନିର୍ବିଶେଷରେ ଲୋକେ ତାଙ୍କୁ ସମର୍ଥନ ଜଣାଇବେ ବୋଲି ପାଣ୍ଡବ ଆଶାବ୍ୟକ୍ତ କରିଛନ୍ତି।

ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବିଧାନ ସୁରକ୍ଷା ମଞ୍ଚର ପବିତ୍ର ଦେହେରୀ, କଂଗ୍ରେସ ସେବାଦଳର ପୂର୍ବତନ ଜିଲା ସଭାପତି ଗଣେଶ ରାଉତ, ଜିଲା କଂଗ୍ରେସ ଓବିସି ସେଲ ଉପସଭାପତି ପ୍ରମୋଦ ମହାକୁର, କୋଶଲ ଏକାଡ଼େମୀର ନିର୍ଦ୍ଦେଶକ ମାମୀ ମିଶ୍ର, ଅତାବରା ବ୍ଲକ କଂଗ୍ରେସ କମିଟିର ସଭାପତି କୁନୁ ମହାପାତ୍ର, ଓଡ଼ିଶା କଲ୍ୟାଣୀ ସ୍ବେଚ୍ଛାସେବୀ ସଂଗଠନର ନିତେଶ୍ୱରୀ ପ୍ରଧାନ, କରୁଣାକର ସାହୁ, ସମାଜସେବୀକା ବାସମତୀ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ ।