କାରଖାନାରୁ ଚୋରି କରି ଗିରଫ ହେଲେ ସମିତି ସଭ୍ୟ

କୁଆଁରମୁଣ୍ଡା,୧୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଧୀନ ବିଜାବାହାଲାସ୍ଥିତ ପବନ ଜୟ ସ୍ପଞ୍ଜ କାରଖାନାରୁ ତମ୍ବା ଖୁମ୍ବ ଚୋରି ଘଟଣାରେ ପୋଲିସ ରବିବାର ଜଣେ ସମିତି ସଭ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଉଛନ୍ତି କୁଆଁରମୁଣ୍ଡା ବ୍ଲକ ଖୁଖୁଣ୍ଡୁବାହାଲ ପଞ୍ଚାୟତର ସମିତି ସଭ୍ୟ ରୋଜିତ୍‌ ତିର୍କୀ(୩୪)। ଏହି ଘଟଣା ଗତ ୧୮ ଦିନ ତଳେ ଘଟିଥିଲା। ଏଥିରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ଥିବା ପୋଲିସ ସନ୍ଦେହ କରୁଥିଲା। କାରଖାନାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରି ସମିତି ସଭ୍ୟଙ୍କୁ ଗିରଫ କରିଛି। ଏବେବି ଘଟଣାର ମାଷ୍ଟରମାଇଣ୍ଡଙ୍କ ସମେତ ଅନ୍ୟମାନେ ଫେରାର ଅଛନ୍ତି। ଫେରାର୍‌ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ବୀରମିତ୍ରପୁର ଆଇଆଇସି ମନୋଜମଞ୍ଜରୀ ନାଏକ କହିଛନ୍ତି।