ଆନ୍ଧ୍ର ପକ୍ଷରୁ ଓଡ଼ିଶାରେ ୩ ଗ୍ରାମକୁ ନେଇ ପଞ୍ଚାୟତ ନିର୍ବାଚନ: ୨ ସରପଞ୍ଚ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ପଟ୍ଟାଙ୍ଗୀ,୯ା୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ୩ଟି ଗ୍ରାମକୁ ନେଇ ଆନ୍ଧ୍ର ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରୁଛନ୍ତି। ଏଥିପାଇଁ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ତେବେ ଦୁଇଟି ପଞ୍ଚାୟତରେ ସରପଞ୍ଚଠାରୁ ଆରମ୍ଭ କରି ଓ୍ବାର୍ଡମେମ୍ବର ପର୍ଯ୍ୟନ୍ତ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତର ଗଞ୍ଜେଇ ପଦର ଗ୍ରାମର ନାଁ ପରିବର୍ତ୍ତନ କରି ଗଞ୍ଜେଇ ଭାଦ୍ରା ପଞ୍ଚାୟତ କରିଥିଲେ। ଏଠାରେ ସରପଞ୍ଚ ଭାବେ ଡମ୍ବୁ ଗେମେଲ, ବିଶୁ ଗେମେଲ ଓ ଦିବାକର ଗେମେଲ ନାମାଙ୍କନପତ୍ର ଦାଖଲ କରିଥିଲେ। ତେବେ ଡମ୍ବୁ ଏବଂ ବିଶୁ ନାମାଙ୍କନପତ୍ର ପ୍ରତ୍ୟାହାର କରି ନେବାରୁ ଦିବାକର ଗେମେଲ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ସେହିପରି ଫଗୁଣସିନେରି ଗ୍ରାମକୁ ଆନ୍ଧ୍ର ପଟୁଗୁ ଚେନୁରୁ ନାମରେ ନାମିତ କରି ସରପଞ୍ଚ ପାଇଁ ନିର୍ବାଚନ କରୁଛି। ଉକ୍ତ ପଞ୍ଚାୟତ ପାଇଁ ଜଣେ ମାତ୍ର ସରପଞ୍ଚ ପ୍ରାର୍ଥତ୍ ଭାବେ ବେତୁରୁ ହାରେକାଙ୍କ ସ୍ତ୍ରୀ କୁନେଟି କୁସୁଆମ୍ମା ନାମାଙ୍କନପତ୍ର ଦାଖଲ କରିଥିଲେ। ସେ ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ ଫାଟୁସିନେରି ଗ୍ରାମକୁ ଆନ୍ଧ୍ର ପଟୁଚେନୁରୁ ନାମରେ ନାମିତ କରି ପଞ୍ଚାୟତ ଭାବେ ଘୋଷଣା କରି ଏଠାରେ ମଧ୍ୟ ସରପଞ୍ଚ ପାଇଁ ନିର୍ବାଚନ କରୁଛି। ଉକ୍ତ ପଞ୍ଚାୟତରେ ୩ଜଣ ପ୍ରାର୍ଥୀ କାମି ହିମିରିକା, ଆନ୍ଧ୍ରର ଡି. ବେଲଗାବାଲସା ଗ୍ରାମର କୋଣ୍ଡାପାଲି ପାଇଡି ତାଲିଆମ୍ମା ଏବଂ ଓଡ଼ିଶାର ଫାଟୁସିନେରି ଗ୍ରାମର ସିଧାରାପୋ କାମି ନାମାଙ୍କନପତ୍ର ଦାଖଲ କରିଛନ୍ତି। କାମି ହିମିରିକା ନିଜ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନେଇଥିବା ବେଳେ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ ବୋଲି ଜଣାପଡିଛି। ସୂଚନା ଯୋଗ୍ୟ, ନିର୍ବାଚନ ହେବାକୁ ଥିବା ଫାଟୁସିନେରି ତଥା ଫଟୁଚେନୁରୁ ପଞ୍ଚାୟତ ଅଧୀନରେ ୮ଟି ଓ୍ବାର୍ଡ ରହିଛି। ଏହାର ୩୨ଟି ଗ୍ରାମରେ ୧୦୧୭ ଭୋଟର ଅଛନ୍ତି। ଭୋଟରମାନେ ୧୩ରେ ହେଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ କରିବେ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । ସୋମବାର ସନ୍ଧ୍ୟାରେ ଆନ୍ଧ୍ର ଉପ ଜିଲାପାଳ ବିଜୟ ଖେର, ସାଲୁର ତହସିଲଦାର କେ. ଶ୍ରୀବାସ ରାଓ କୋଟିଆ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି।