ବକେୟା ବିଲ୍ ପୈଠ କଲାନି ପଞ୍ଚାୟତ; ବିଦ୍ୟୁତ କାଟିଲା ବିଭାଗ, ରାଶନ ହିତାଧିକାରୀ ହନ୍ତସନ୍ତ

ମୋହନା,୧୭ା୮( ମନ୍ମଥ ମିଶ୍ର ): ବିଦ୍ୟୁତ ବକେୟା ପାଇଁ ପଞ୍ଚାୟତର ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ଆଉ ବିଦ୍ୟୁତ ନଥିବାରୁ ଠପ୍‌ ହୋଇଗଲା ରାଶନ ବଣ୍ଟନ। ଫଳରେ ରାଶନ ପାଇଁ ହିତାଧିକାରୀ ହନ୍ତସନ୍ତ ହେଉଛନ୍ତି । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ଗ୍ରାମ ପଞ୍ଚାୟତରେ।

ସୂଚନା ଅନୁସାରେ, ଗତ ଦୁଇ ଦିନ ଧରି ସର୍ଭର ସମସ୍ୟା ଯୋଗୁଁ ଚାଉଳ ବଣ୍ଟନ ହୋଇପାରିନଥିଲା। ଏହାରି ଭିତରେ ପଞ୍ଚାୟତର ବିଦ୍ୟୁତ ବକେୟା ଥିବାରୁ ଶୁକ୍ରବାର ଠାରୁ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଛି । ଫଳରେ ରାଶନ ପାଇଁ ଆସି ନିରାଶ ହୋଇ ଘରକୁ ଫେରୁଛନ୍ତି ପଞ୍ଚାୟତର ବହୁ ହିତାଧିକାରୀ। ସମସ୍ୟାର ସମାଧାନ ପାଇଁ ପିଇଓ ଓ ସରପଞ୍ଚ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବିଦ୍ୟୁତ ବିଭାଗ ଉପରେ ବର୍ଷିଥିଲେ। ତେବେ ବିଦ୍ୟୁତ ବିଭାଗ କର୍ମଚାରୀ ରୋକଠୋକ୍‌ ଜବାବ ଦେଇଥିଲେ ବକେୟା ଟଙ୍କା ପୈଠ କଲେ ହିଁ ବିଦ୍ୟୁତ ସଂଯୋଗ ଦିଆଯିବ। ଅର୍ଥାତ୍‌ ବକେୟା ନଦେଲେ ବିଦ୍ୟୁତ ନାହିଁ, ଆଉ ବିଦ୍ୟୁତ ନଥିଲେ ରାଶନ ବଣ୍ଟନ ବି ଠପ୍‌।

ତେବେ ରବିବାର ଯୋଗାଣ ସହାୟିକା ଅନ୍ୟତ୍ର ପିଡିଏସ୍‌ ମେସିନ୍‌ ଚାର୍ଜ କରି ଆଣି କିଛି ସମୟ ପାଇଁ ଚାଉଳ ବଣ୍ଟନ କରିଥିଲେ। ଏବେ ପ୍ରଶ୍ନ ବକେୟା ଟଙ୍କା ପାଇଁ ଦାୟୀ କିଏ ? ଆଉ ତା’ର ଭୁଲ୍‌ ପାଇଁ ଗରିବ ହିତାଧିକାରୀ କାହିଁକି ରେସନ ପାଇବାରୁ ବଞ୍ଚିତ ହେବେ ? ତୁରନ୍ତ ବକେୟା ପୈଠ କରି ବିଦ୍ୟୁତ ସଂଯୋଗ ଦେବା ସହ ବଞ୍ଚିତ ସମସ୍ତ ହିତାଧିକାରୀଙ୍କୁ ରାଶନ ଯୋଗାଇବାକୁ ଦାବି ହୋଇଛି । ଅନ୍ୟ ପକ୍ଷରେ ପଞ୍ଚାୟତ ନିର୍ବାହୀ ଅଧିକାରିଣୀ ସୁଲୋଚନା ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଗତ ଜୁନ ମାସ ପର୍ଯ୍ୟନ୍ତ ପଞ୍ଚାୟତର ସମସ୍ତ ବକେୟା ପୈଠ ହୋଇଛି । କିନ୍ତୁ ଜୁଲାଇ ମାସରେ ହଠାତ ୨,୬୨,୦୦୦ ଅଧିକ ବିଲ ଆସିଥିଲା ଯାହାକି ବିଦ୍ୟୁତ ବିଭାଗକୁ ଯୋଗାଯୋଗ କରାଯିବାରୁ ଭିଜିଲାନ୍ସ ତରଫରୁ ପୂର୍ବରୁ ବକେୟା ଥିବା କହିଥିଲେ । ଏଣୁ ସମସ୍ତ ଟିକିନିଖି ହିସାବ ଦେଲେ ପୈଠ କରାଯିବ ଏବଂ ମୋହନା ବିଡ଼ିଓ ରାଜୀବ ଦାସ ଙ୍କୁ ଅବଗତ କରିଥବା ପଞ୍ଚାୟତ ନିର୍ବାହୀ ଅଧିକାରିଣୀ କହିଛନ୍ତି ।

 

Dharitri – Odisha’s No.1 Odia Daily

Share