କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅନୁମୋଦନ କରାଯାଇଛି।
୨୦୨୬ ଅକ୍ଟୋବର ୧ତାରିଖରେ ଜାରି ଅଫିସ ମେମୋରାଣ୍ଡମ ଅନୁଯାୟୀ, ଦେଶରେ ୫ଟି ଶାସ୍ତ୍ରୀୟ ଭାଷା ପାଇଁ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ। ଆସାମୀୟ ପାଇଁ ତେଜପୁର ବିଶ୍ୱବିଦ୍ୟାଳୟ, ବଙ୍ଗଳା ପାଇଁ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ମରାଠୀ ପାଇଁ ଡେକାନ କଲେଜ, ପାଲି ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ପ୍ରାକୃତ ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଜରାଟକୁ ଚୟନ କରାଯାଇଛି।
ପାଲି ଭାଷା ଅଧ୍ୟୟନ କେନ୍ଦ୍ର ମାଧ୍ୟମରେ ଶାସ୍ତ୍ରୀୟ ଭାଷାର ଐତିହ୍ୟ ଓ ସାହିତ୍ୟର ଗବେଷଣା, ଡିଜିଟାଇଜେସନ, ସଂରକ୍ଷଣ ଏବଂ ପ୍ରସାର ଉପରେ ଗୁରୁତ୍ୱ ଦିଆଯିବ। ଏହା କୋରାପୁଟ ସମେତ ଓଡ଼ିଶାର ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସିୟୁଓ ପକ୍ଷରୁ କୁହାଯାଇଛି।