Categories: ଖେଳ

ସ୍ୟାଣ୍ଡେଲ୍‌କୁ ନେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ମହିଳା କ୍ରିକେଟ୍‌ ଭାଷ୍ୟକାର

ନୂଆଦିଲ୍ଲୀ, ୫।୧୦: ପୂର୍ବତନ କ୍ରିକେଟର୍‌ ତଥା ପାକିସ୍ତାନର ପ୍ରଥମ ମହିଳା କ୍ରିକେଟ୍‌ ଭାଷ୍ୟକାର ମାରିନା ଇକ୍‌ବାଲ ଏବେ ନିଜ ହିଲ୍ସ ସ୍ୟାଣ୍ଡେଲ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସ୍ୟାଣ୍ଡେଲକୁ ନେଇ ମାରିନାଙ୍କୁ ସୋସିଆଲ୍‌ ମିଡିଆରେ ଖୁବ୍‌ ଟ୍ରୋଲ୍‌ କରାଯାଇଛି। ପାକିସ୍ତାନର ଜଣେ କ୍ରୀଡ଼ା ଖବରଦାତା କାଦିର ମଧ୍ୟ ମାରିନାଙ୍କ ସ୍ୟାଣ୍ଡେଲ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହାପରେ କାଦିରଙ୍କୁ ସ୍ପଷ୍ଟ ଜବାବ ଦେବାକୁ ମାରିନା ବିଳମ୍ବ କରି ନ ଥିଲେ।
ଜଣାପଡ଼ିଛି ଯେ, ଏକ ମ୍ୟାଚ୍‌ ସମୟରେ ହାଇହିଲ୍ସ ସ୍ୟାଣ୍ଡେଲ ପିନ୍ଧି ପିଚ୍‌ ଉପରକୁ ଯିବାକୁ ନେଇ ମାରିନାଙ୍କୁ କାଦିର ପ୍ରଶ୍ନ କରିଥିଲେ। ମାରିନାଙ୍କ ଏକ ଫଟୋ ଶେୟାର କରି କାଦିର ପ୍ରଶ୍ନ କରିଥିଲେ ଯେ, ହାଇହିଲ୍ସ ସ୍ୟାଣ୍ଡେଲ ପିନ୍ଧି ପିଚ୍‌ରେ ଏପଟ ସେପଟ ହେବା ନିୟମ ଅଟେ କି। ତେବେ ମାରିନା ସଙ୍ଗେ ସଙ୍ଗେ କାଦିରଙ୍କ ଏହି ଟୁଇଟ୍‌ର ଜବାବ ରଖିଥିଲେ। ଅଧାସୂଚନା ଦେଇଥିବାରୁ କାଦିରଙ୍କୁ ମାରିନା କଠୋର ସମାଲୋଚନା କରିବାକୁ ପଛଘୁଞ୍ଚା ଦେଇ ନ ଥିଲେ। କାଦିରଙ୍କୁ ସ୍ପଷ୍ଟ କରିବା ପାଇଁ ମାରିନା ଟୁଇଟ୍‌ରେ ନିଜର ବିଭିନ୍ନ କୋଣରୁ କିଛି ଫଟୋ ଶେୟାର କରିଥିଲେ।

ଏହି ଫଟୋରେ ଜଣାପଡ଼ିଛି ଯେ, ମାରିନା ପିଚ୍‌ ଉପରେ ଠିଆ ହୋଇ ବିବରଣୀ ରଖୁଥିବାବେଳେ ହାଇହିଲ୍ସ ବଦଳରେ ଫ୍ଲାଟ୍‌ ଜୋତା ପିନ୍ଧିଥିଲେ। ଏବଂ ବିବରଣୀ ଦେଇସାରିବା ପରେ ହାଇହିଲ୍ସ ପିନ୍ଧିଥିଲେ।
ମାରିନା କହିଛନ୍ତି, ଅଧା ସୂଚନା ବିପଦଜ୍ଜନକ ହୋଇପାରେ। ମୁଁ ଜଣେ ପୂର୍ବତନ ପାକିସ୍ତାନ କ୍ରିକେଟର୍‌। ଖେଳର ନିୟମ ସମ୍ପର୍କରେ ଭଲ ଭାବରେ ଅବଗତ। ଏଠାରେ ଉଲ୍ଲେଖଯୋଗ୍ୟ, ୩୩ ବର୍ଷୀୟା ମାରିନା ପାକିସ୍ତାନ ପକ୍ଷରୁ ୩୬ ଦିନିକିଆ ଓ ୪୨ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୪୩୬ ଓ ୩୪୦ ରନ୍‌ ସଂଗ୍ରହ କରିଛନ୍ତି।

Share