ପାକିସ୍ତାନ ମହିଳାଙ୍କ ପ୍ରେମରେ ପଡ଼ି ଆଇଟିଆର୍‌ରୁ ଦେଉଥିଲେ ଗୁପ୍ତ ତଥ୍ୟ, ଅଫିସରଙ୍କ ସହ ଠିକାଦାରଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ୱର ଅଫିସ, ୨୪।୨: ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆର୍‌ରୁ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ପ୍ରତିରକ୍ଷା ବିଭାଗର ଜଣେ ସିନିୟର ଅଫିସର ଓ ଠିକାଦାରଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଅଫିସର ଜଣଙ୍କ ହନିଟ୍ରାପର୍‌ ଶିକାର ହୋଇଛନ୍ତି। ସେ ପାକିସ୍ତାନ ରାୱଲପିଣ୍ଡିର ଜଣେ ମହିଳାଙ୍କ ପ୍ରେମରେ ପଡି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ କରିଥିବା ଅଭିଯୋଗ ହୋଇଛି। ଏନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ବାଲେଶ୍ୱର ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି।
ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସଂସ୍ଥାର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସର । ପାକିସ୍ତାନୀ ଏଜେଣ୍ଟ ଅଶ୍ଳୀଳ ଭିଡିଓ ଦେଇ ତଥ୍ୟ ହାସଲ କରିଥିଲେ । ସେହିଭଳି ଘଟଣାରେ ଆଉ କେତେକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି ।