ନୂଆଦିଲ୍ଲୀ,୩୦।୮: ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏନେଇ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଜଣାଇବା ପରେ କ୍ରିକେଟ ପ୍ରତି ଯୋଗଦାନ ନିମନ୍ତେ କୋଟି କୋଟି ଲୋକ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କ୍ରମରେ ପାକିସ୍ତାନର ପୂର୍ବତନ ଅଧିନାୟକ ରଶିଦ ଲାତିଫ୍ ଧୋନୀଙ୍କୁ କେବଳ ଭାରତର ନୁହେଁ, ବରଂ ପୁରା ଦୁନିଆର ଆଇକନ୍ ବୋଲି କହିଛନ୍ତି। ଏପରିକି ଧୋନୀ ଇମରାନ୍ ଖାନ୍ଙ୍କ ଭଳି ଲିଡର୍ ବୋଲି କହିଛନ୍ତି।
ଏକ ସାକ୍ଷାତକାରରେ ଯୋଗଦେବା ସମୟରେ ଲାତିଫ୍ ଧୋନୀଙ୍କ ଭୁରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଧୋନୀଙ୍କୁ ଧୋନୀ କରିବା ପଛରେ ପ୍ରଥମ ଯୋଗଦାନ ମହମ୍ମଦ ଆଜାରୁଦ୍ଦିନଙ୍କ ରହିଛି। ସେ ଭାରତୀୟ କ୍ରିକେଟ ପାଇଁ ସୌରଭ ଗାଙ୍ଗୁଲୀଙ୍କ ଭଳି ହୀରା ଛାଡ଼ି ଯାଇଥିଲେ। ଏହାପରେ ଗାଙ୍ଗୁଲୀ ଧୋନୀଙ୍କୁ ଆଣି ଆସିଥିଲେ। ଏକଦା ଆମ ଟିମ୍ର ଜଣେ ଖେଳାଳି ମୋତେ ଫୋନ କରି ଭାରତୀୟ ଟିମ୍କୁ ଏପରି ଜଣେ ଖେଳାଳି ଆସିଛନ୍ତି ଯିଏ ସଚିନ ତେନ୍ଦୁଲକରଙ୍କୁ ଭୁଲାଇ ଦେବ ବୋଲି କହିଥିଲେ। ହେଲେ ତାହା ବିଶ୍ୱାସ କରିପାରି ନ ଥିଲି। ସେ ପ୍ରଥମ ଅଧିନାୟକ ଭାବେ ଟି-୨୦ ବିଶ୍ୱକପ୍, ଏକଦୀବସୀୟ ୫୦ ଓଭର ବିଶ୍ୱକପ୍ ଏବଂ ଚାମ୍ପିୟନ୍ସ ଟ୍ରଫି ଜିତିଥିଲେ। ଏପରି ଅନ୍ୟ କୌଣସି ଅଧିନାୟକ କରିନାହାନ୍ତି। ଆମ ପ୍ରଧାନମନ୍ତ୍ରୀ ଇମରାନ ନିଜର ଲିଡରସିପ୍ ପାଇଁ ଜଣାଶୁଣା। ସେ କଷ୍ଟ କରିବାକୁ ପ୍ରସ୍ତୁତ ଥାନ୍ତି। ସେ ନିଜର ଟିମ୍ରେ ନୂଆ ଖେଳାଳିଙ୍କୁ ସୁଯୋଗ ଦିଅନ୍ତି। ଧୋନୀଙ୍କୁ ବିଶ୍ୱର ସବୁ ଖେଳାଳି ଏବଂ ଅଧିନାୟକ ପ୍ରଶଂସା କରନ୍ତି। ଏଣୁ ଧୋନୀ କେବଳ ଭାରତର ନୁହେଁ ବରଂ ପୁରା ବିଶ୍ୱର ଆଇକନ୍ ବୋଲି ସେ କହିଛନ୍ତି।


