ଇସଲାମାବାଦ୍,୧୪।୮: ପାକିସ୍ତାନ ସ୍ବାଧୀନତା ଦିବସରେ ମଧ୍ୟ ଭାରତ ଧିରୋଧରେ ବିଷ ଓଗାଳିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତର ‘ଅପରେଶନ ସିନ୍ଦୁର’ ଦ୍ୱାରା ଆରମ୍ଭ ହୋଇଥିବା ଆଘାତ ପାକିସ୍ତାନକୁ ଯନ୍ତ୍ରଣା ଦେଉଛି। ଫଳସ୍ବରୂପ, ସ୍ବାଧୀନତା ପାଳନ କରିବା ପରିବର୍ତ୍ତେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ବିରୋଧରେ ଯୁଦ୍ଧ କରିବାର ଖୋଲା ଧମକ ଦେଇଥିଲେ। ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଭାରତର ନିଷ୍ପତ୍ତିରେ ପାକିସ୍ତାନ ରାଗିଯାଇ ଯୁଦ୍ଧ ଧମକ ଦେଇଛି।
ପାକିସ୍ତାନର ସ୍ବାଧୀନତାର ୮୦ତମ ବର୍ଷ ଆରମ୍ଭ ହେବା ପୂର୍ବରୁ ରାଜଧାନୀ ଇସଲାମାବାଦରେ ‘ୟାଦଗର-ଏ-ଫତାହ’ (ବିଜୟ ସ୍ମାରକୀ) ନାମକ ଏକ ସ୍ମାରକୀ ଉଦ୍ଘାଟିତ ହୋଇଥିଲା। ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦ୍ୱାରା ଏହି ସ୍ମାରକୀ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସମୟେ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦେଶକୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇ ତାଙ୍କ ଭାଷଣ ଆରମ୍ଭ କରିଥିଲେ। କିନ୍ତୁ ଭାରତ ବରୋଧରେ ଯୁଦ୍ଧ କରିବା ବିଷୟରେ ବୟାନବାଜି କରିବାକୁ ଲାଗିଲେ। ସେ ଚେତାବନୀ ଦେଇଥିଲେ ଯେ, ଯଦି କେହି ପାକିସ୍ତାନର ସାର୍ବଭୌମତ୍ୱ ଏବଂ ସୁରକ୍ଷାକୁ ଚ୍ୟାଲେଞ୍ଜ କରନ୍ତି, ତେବେ ସେମାନଙ୍କୁ ମେ ୨୦୨୫ ଅପେକ୍ଷା ଆହୁରି କଠୋର ଜବାବ ଦିଆଯିବ।
‘ଅପରେଶନ ସିନ୍ଦୁର’ରେ ହୋଇଥିବା ପରାଜୟର ଦୁଃଖକୁ ପ୍ରକାଶ କରି ଶେହବାଜ ମଞ୍ଚରୁ କହିଥିଲେ ଯେ, ଭାରତ ଏକପାଖିଆ ଭାବରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି। ଆମ ପାଇଁ, ପ୍ରତ୍ୟେକ ପାଣି ବୁନ୍ଦା ଏକ ଲାଲ ରେଖା, ଏବଂ ଯଦି ଭାରତ ସଠିକ ରାସ୍ତାରେ ନ ଚାଲେ, ତେବେ ଆମେ ସିଧାସଳଖ ଜବାବ ଦେବୁ।