Categories: ଖେଳ

ପଦାର୍ପଣର ପ୍ରଥମ ଓଭରରେ ଦେଖାଇଲେ ଚମତ୍କାର ବୋଲିଂ

ସିଡ୍‌ନୀ,୨।୧: ବିଗ୍‌ ବାଶ ଲିଗ୍‌ (ବିବିଏଲ)ର ପଦାର୍ପଣ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରିଛନ୍ତି ପାକିସ୍ତାନ ପେସର ମହମ୍ମଦ ହାସନେନ। ସିଡ୍‌ନୀ ଥଣ୍ଡର ପାଇଁ ଖେଳୁଥିବା ହାସନେନ ଆଡିଲେଡ୍‌ ଷ୍ଟ୍ରାଇକର୍ସ ବିପକ୍ଷରେ ପ୍ରଥମ ଓଭରରେ ବିନା କୌଣସି ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଆଡିଲେଡ୍‌ ଦଳକୁ ମ୍ୟାଚ୍‌ର ୩ୟ ଓଭରରେ ୩ ଝଟକା ଦେଇଥିଲେ ୨୧ ବର୍ଷୀୟ ପେସର। ସେ ମାଥ୍ୟୁ ଶର୍ଟ, ଜ୍ୟାକ ହ୍ବେଦରାଲ୍ଡ ଓ ଜୋନାଥନ ଓ୍ବେଲ୍ସଙ୍କ ଉଇକେଟ ନେଇଥିଲେ। ଫଳରେ ୩ ଓଭର ଶେଷ ସୁଦ୍ଧା ଆଡିଲେଡ୍‌ ଷ୍ଟ୍ରାଇକର୍ସ ୨୫ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତି ଯୋଗୁ ମ୍ୟାଚ୍‌କୁ କଦାପି ଫେରିପାରି ନ ଥିଲା ପିଟର ସିଡ୍‌ଲଙ୍କ ନେତୃତ୍ୱାଧୀନ ଦଳ। ଫଳରେ ଦଳ ୧୪୪ ରନ୍‌ରେ ଅଲଆଉଟ୍‌ ହୋଇଥିଲା।

ବିଜୟୀ ଦଳ ପାଇଁ ଓପନର ମାଥ୍ୟୁ ଜିଲକେସ ୫୭ ବଲରେ ୯୩ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ପାଳିରେ ୯ ଚୌକା ଓ ୩ ଛକା ସାମିଲ ଥିଲା।

Share