ନୂଆଦିଲ୍ଲୀ, ୧୮।୧୧: ରୋମାଞ୍ଚକର ଫାଇନାଲ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି କ୍ରମାଗତ ତୃତୀୟ ଥର ପାଇଁ SAFF ଚାମ୍ପିୟନଶିପ ଟାଇଟଲ ନିଜ ନାମରେ କରିଛି ଭାରତ। ଏଥିସହ ଭାରତୀୟ ଦଳ ରେକର୍ଡ ୧୦ମ ଥର ପାଇଁ ଏହି ଟ୍ରଫି ଜିତିବାର ଗୌରବ ହାସଲ କରିଛି। ବିଶେଷ କଥା ହେଉଛି, ଯୁବ ଖେଳାଳିଙ୍କୁ ନେଇ ଗଠିତ ଦଳ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ଭାରତ ଟାଇଟଲ ଉପରେ ନିଜର ଦବଦବା ବଜାୟ ରଖିଛି। ଭାରତୀୟ ଦଳ ମଇଦାନରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା। ଏହାର ପ୍ରଭାବ ଏପରି ଥିଲା ଯେ, ପାକିସ୍ତାନୀ ଖେଳାଳିମାନେ ମଧ୍ୟ ଭାରତୀୟ ଦଳର ପ୍ରଶଂସାରେ ତାଳି ମାରୁଥିବା ନଜର ଆସିଥିଲେ।
ପ୍ରକୃତରେ, ଟାଇଟଲ ମୁକାବିଲାରେ ଭାରତଠାରୁ ୧-୨ ଗୋଲରେ ପରାଜିତ ହେବା ପରେ ପାକିସ୍ତାନୀ ଖେଳାଳିମାନେ ମଇଦାନରେ ଭାରତୀୟ ଦଳକୁ ଗାର୍ଡ ଅଫ ଅନର୍ ଦେଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ମ୍ୟାଚ ପରବର୍ତ୍ତୀ ପୁରସ୍କାର ବିତରଣ ଉତ୍ସବ ସମୟରେ ପାକିସ୍ତାନୀ ଖେଳାଳିମାନେ ଭାରତୀୟ ଖେଳାଳିଙ୍କ ସମ୍ମାନରେ ତାଳି ମାରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ନେଇ ଫୁଟବଲ ପ୍ରଶଂସକମାନେ ବେଶ୍ ପ୍ରତିକ୍ରିୟା ଦେଉଛନ୍ତି।
ମ୍ୟାଚ ଆରମ୍ଭରୁ ପାକିସ୍ତାନ ଭଲ ଖେଳ ପ୍ରଦର୍ଶନ କରିଥିଲା ଏବଂ ପ୍ରଥମାର୍ଦ୍ଧରେ ଭାରତୀୟ ଦଳ ଉପରେ ଚାପ ବଜାୟ ରଖିଥିଲା। ପ୍ରାୟ ୩୫ତମ ମିନିଟରେ ଭାରତକୁ ଗୋଲ କରିବା ପାଇଁ କିଛି ସୁଯୋଗ ମିଳିଥିଲା, କିନ୍ତୁ ଦଳ ଏହାର ଫାଇଦା ଉଠାଇପାରି ନଥିଲା। ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମରେ ଆଲମଗୀର ଗାଜି ଚମତ୍କାର ଗୋଲ କରି ପାକିସ୍ତାନକୁ ୧-୦ରେ ଆଗୁଆ କରାଇଥିଲେ।
ତେବେ ଦ୍ୱିତୀୟାର୍ଦ୍ଧରେ ମ୍ୟାଚର ଚିତ୍ର ବଦଳିଯାଇଥିଲା। ୫୯ତମ ମିନିଟରେ VAR ଯାଞ୍ଚ ପରେ ବ୍ରିସନ ଫର୍ଣ୍ଣାଣ୍ଡିସଙ୍କ ଉପରେ ବିପଜ୍ଜନକ ଟ୍ୟାକଲ କରିଥିବାରୁ ଜୁନୈଦ ଶାହଙ୍କୁ ସିଧାସଳଖ ରେଡ କାର୍ଡ ଦେଖାଯାଇଥିଲା। ଫଳରେ ପାକିସ୍ତାନୀ ଦଳ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ବାଧ୍ୟ ହୋଇଥିଲା।
ଭାରତ ଏହି ସୁଯୋଗର ଫାଇଦା ଉଠାଇଥିଲା। ଏହାର ଠିକ ପରବର୍ତ୍ତୀ ମିନିଟ ଅର୍ଥାତ୍ ୬୦ତମ ମିନିଟରେ ସୁହେଲ ଅହମ୍ମଦ ଭଟ୍ଟ ଗୋଲ କରି ସ୍କୋରକୁ ୧-୧ରେ ବରାବର କରିଥିଲେ। ଭାରତର ଦ୍ୱିତୀୟ ତଥା ବିଜୟସୂଚକ ଗୋଲ ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଆସିଥିଲା। ୮୮ତମ ମିନିଟରେ ସନ୍ଦୀପ ମାଣ୍ଡି ଚମତ୍କାର ହେଡର୍ ଜରିଆରେ ଭାରତକୁ ୨-୧ରେ ଆଗୁଆ କରାଇଥିଲେ। ଏହି ଗୋଲ ସହ ଭାରତ ଫାଇନାଲ ଜିତିବା ସହ ଟାଇଟଲ ଉପରେ କବଜା କରିଥିଲା। ଅନ୍ୟପକ୍ଷରେ, ପ୍ରଥମ ଥର ପାଇଁ ଟାଇଟଲ ଜିତିବାକୁ ପାକିସ୍ତାନ ଦେଖିଥିବା ସ୍ବପ୍ନ ଧୂଳିସାତ୍ ହୋଇଯାଇଥିଲା।