ଇସଲାମାବାଦ୍,୨୧।୮: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ଥମିବାର ନାଁ ଧରୁନି। ତାଙ୍କୁ ହସ୍ପିଟାଲରୁ ପୁଣି ଜେଲକୁ ପଠାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ଇମ୍ରାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଶିଫା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ତାଙ୍କର ଡାକ୍ତରୀ ପରୀକ୍ଷା ପରେ ୬ ଘଣ୍ଟା ମଧ୍ୟରେ ତାଙ୍କୁ ପୁନର୍ବାର ଆଦିଆଲା ଜେଲକୁ ପଠାଯାଇଥିଲା।
ଶେହବାଜ ସରିଫ ସରକାର ଶୁକ୍ରବାର ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଇସଲାମାବାଦର ଶିଫା ହସ୍ପିଟାଲରୁ ପୁନର୍ବାର ଆଦିଆଲା ଜେଲକୁ ସ୍ଥାନାନ୍ତର କରିଥିଲେ। ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ରାୱଲପିଣ୍ଡିସ୍ଥିତ ଜେଲରୁ ଡାକ୍ତରୀ ଯାଞ୍ଚ ପାଇଁ ଅଣାଯାଇଥିଲା କିନ୍ତୁ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ପୁନର୍ବାର ଜେଲକୁ ପଠାଯାଇଥିଲା। ଜେଲ ସୂତ୍ର ଅନୁଯାୟୀ, ପୋଲିସ କଡ଼ା ସୁରକ୍ଷା ମଧ୍ୟରେ ଇମ୍ରାନଙ୍କୁ ତାଙ୍କ ସେଲକୁ ଫେରାଇ ନେଇଥିଲା।
ସୂଚନାଯୋଗ୍ୟ, ପାକିସ୍ତାନର ସୁପ୍ରିମକୋର୍ଟ ସରକାରଙ୍କୁ ଇମ୍ରାନ ଖାନଙ୍କୁ ଜେଲରୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକ ତିନି ଜଣିଆ ଖଣ୍ଡପୀଠ ଇମ୍ରାନ ଖାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଇସଲାମାବାଦର ଶିଫା ହସ୍ପିଟାଲକୁ ନିଆଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଦେଶର ସର୍ବୋଚ୍ଚ ଅଦାଲତ ରାୟରେ କହିଥିଲେ, ୭୩ ବର୍ଷୀୟ ଇମ୍ରାନଙ୍କୁ ଦୁଇ ଦିନ ମଧ୍ୟରେ ଇସଲାମାବାଦର ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ଏବଂ ସେପ୍ଟେମ୍ବର ୧୬ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେଠାରେ ରଖାଯିବ। ସରକାର ପ୍ରଥମେ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବ ବୋଲି କହିଥିଲେ। କିନ୍ତୁ ପରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଏଥିରେ ନିର୍ଦ୍ଦେଶର ସମୀକ୍ଷା ଏବଂ ପ୍ରତ୍ୟାହାର ପାଇଁ ଅନୁରୋଧ କରାଯାଇଥିଲା।
ସରକାର କୋର୍ଟଙ୍କ ରାୟ ବିରୋଧରେ ଏକ ସମୀକ୍ଷା ଆବେଦନ ଦାଖଲ କରିଥିଲେ, କିନ୍ତୁ ସୁପ୍ରିମକୋର୍ଟର ରେଜିଷ୍ଟ୍ରାର ଅଫିସ ଅନେକ ଆପତ୍ତି ଉଠାଇ ଏହାକୁ ଫେରସ୍ତ କରିଥିଲା। ରେଜିଷ୍ଟ୍ରାର ଅଫିସ କହିଛି ଯେ, ସମ୍ପୂର୍ଣ୍ଣ ରେକର୍ଡ ବିନା ଆବେଦନ ଦାଖଲ କରାଯାଇଛି। ଏହାସତ୍ତ୍ୱେ ଅସୀମ ମୁନିର ସେତା ତାଙ୍କୁ ପୁଣି ଜେଲ୍ ପଠାଇଛି।