ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଅଡୁଆ କମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦର ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ନିଆଯାଇଥିଲା। ତେବେ ମାତ୍ର ପ୍ରାୟ ୬ ଘଣ୍ଟାର ମେଡିକାଲ ଯାଞ୍ଚ ପରେ ତାଙ୍କୁ ପୁଣି ଅଦିଆଲା ଜେଲ୍କୁ ପଠାଇ ଦିଆଯାଇଛି ।
ଇମ୍ରାନଙ୍କୁ ଅଦିଆଲା ଜେଲ୍ରୁ ଶିଫା ହସ୍ପିଟାଲକୁ ନିଆଯିବା ପରେ ହସ୍ପିଟାଲ ବାହାରେ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଥିଲା। ତାଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ପ୍ରସ୍ତୁତ ରହିଥିଲା। ତେବେ ମେଡିକାଲ ଯାଞ୍ଚ ସରିବା ପରେ ତାଙ୍କୁ ପୁଣି ଜେଲ୍କୁ ପଠାଇ ଦିଆଯାଇଛି। ଚଳିତ ସପ୍ତାହ ଆରମ୍ଭରେ ପାକିସ୍ତାନ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଇମ୍ରାନ ଖାନ୍ଙ୍କୁ ଜେଲ୍ରୁ ଇସଲାମାବାଦର ଶିଫା ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ସରକାରକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ହସ୍ପିଟାଲ ନେବା ସହ ଆସନ୍ତା ୧୬ ସେପ୍ଟେମ୍ବରରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେଠାରେ ରଖିବାକୁ କୋର୍ଟ କହିଥିଲେ । ତେବେ ସରକାର ଏହି ଆଦେଶର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲା। କୋର୍ଟର ରେଜିଷ୍ଟ୍ରାର କାର୍ଯ୍ୟାଳୟ ଆବଶ୍ୟକ ରେକର୍ଡ ନଥିବା ଦର୍ଶାଇ ଏହି ଯାଚିକାରେ ଆପତ୍ତି ଉଠାଇ ଏହାକୁ ଫେରାଇ ଦେଇଥିଲା।
ଜେଲ୍ରେ ଥିବା ଇମ୍ରାନ ଖାନ୍ଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ପରିବାର ଓ ସମର୍ଥକମାନେ ଦୀର୍ଘଦିନ ଧରି ଚିନ୍ତା ପ୍ରକାଶ କରିଆସୁଛନ୍ତି। ବିଶେଷ କରି ତାଙ୍କ ଡାହାଣ ଆଖିର ସମସ୍ୟା ଏବେ ପ୍ରମୁଖ ଚିନ୍ତାର କାରଣ ହୋଇଛି। ଜାନୁଆରୀ ଶେଷରେ ଆଖିର ସମସ୍ୟା ଚିହ୍ନଟ ହେବା ପରେ ତାଙ୍କୁ ଏକାଧିକ ଥର ଇସଲାମାବାଦସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍କୁ ନିଆଯାଇଥିଲା।ଇମ୍ରାନଙ୍କୁ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ ତାଙ୍କ ସମର୍ଥକ ଓ ପରିବାର ପକ୍ଷରୁ ଦାବି ଜୋରଦାର ହୋଇଆସୁଥିଲା। ଏବେ ମେଡିକାଲ ଯାଞ୍ଚ ପରେ ପୁଣି ଜେଲ୍କୁ ଫେରିବା ଘଟଣା ପାକିସ୍ତାନ ରାଜନୀତିରେ ଚର୍ଚ୍ଚାକୁ ଆହୁରି ବଢ଼ାଇଛି ।