ନୂଆଦିଲ୍ଲୀ,୧।୯: ପାକିସ୍ତାନ କ୍ରିକେଟରେ ସମସ୍ୟା କମିବାର ନାଁ ନେଉନାହିଁ। ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟରେ ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦିଗ୍ଗଜ କ୍ରିକେଟର୍ ମିସବାହ-ଉଲ-ହକ ସିଲେକ୍ସନ କମିଟିରୁ ଇସ୍ତଫା ଦେଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ମିସବାହ ପାକିସ୍ତାନ କ୍ରିକେଟ ବୋର୍ଡ (PCB)କୁ ନିଜ ଇସ୍ତଫା ପତ୍ର ଦେଇଥିବା କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ସିରିଜ ପୂର୍ବରୁ କିଛି ଖେଳାଳିଙ୍କୁ ଦଳରୁ ବାଦ ଦେବା ଏବଂ ସେମାନଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରିବା ପୂର୍ବରୁ ମିସବାହଙ୍କୁ ଏ ସମ୍ପର୍କରେ ଜଣାଯାଇନଥିଲା। ଏହି କାରଣରୁ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ପାକିସ୍ତାନ ଟିମ୍ର ପ୍ରଦର୍ଶନ ନିରାଶାଜନକ ରହିଛି। ଏପର୍ଯ୍ୟନ୍ତ ଦଳର ସ୍କୋର୍ ୧୭୧, ୧୩୫, ୧୧୦ ଏବଂ ୧୯୪ ରନ ରହିଛି। ଚାରିଟି ଇନିଂସରେ ମଧ୍ୟ ପାକିସ୍ତାନ ୨୦୦ ରନ୍ର ଆକଳନ ଛୁଇଁ ପାରିନାହିଁ।
ତୃତୀୟ ଟେଷ୍ଟ ପୂର୍ବରୁ ପାକିସ୍ତାନ ଟିମ୍ରେ ୭ ଜଣ ଖେଳାଳିଙ୍କୁ ଦଳରୁ ଡ୍ରପ କରାଯାଇଛି। ମହମ୍ମଦ ରିଜୱାନଙ୍କ ସହ ସଲମାନ ଆଘାଙ୍କୁ ମଧ୍ୟ ଦଳରୁ ବାଦ୍ ଦିଆଯାଇଛି। ଏହା ବ୍ୟତୀତ କୋଚିଂ ଷ୍ଟାଫ୍ରୁ ସରଫରାଜ ଅହମଦ ଓ ଉମର ଗୁଲ୍ଙ୍କ ମଧ୍ୟ ହଟାଯାଇଛି। ଏହା ପରେ ମିସବାହଙ୍କ ଇସ୍ତଫା ପାକିସ୍ତାନ କ୍ରିକେଟ ପାଇଁ ଆଉ ଏକ ବଡ଼ ଝଟକା ବୋଲି ମନେ କରାଯାଉଛି।

