ମହାକାଳପଡ଼ା, ୮ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଅଞ୍ଚଳ ଜୈବ ବିବିଧତା ପରିବେଷ୍ଟିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଲୁଣା ହେନ୍ତାଳ ଜଙ୍ଗଲ ଅଞ୍ଚଳ ଖୁବ୍ ମନୋରମ। ଏଠାରେ ପ୍ରାକୃତିକ ଶୋଭା ମନମୁଗ୍ଧକର ଶୋଭା ବର୍ଦ୍ଧନକରେ ବିଭିନ୍ନ ଦେଶୀ ବିଦେଶୀ ପକ୍ଷୀଙ୍କ ଆଗମନ। ମୋନ୍ଥା ବାତ୍ୟା ପରେ ଶୀତଋତୁ ଆଗମନରେ ଭଳିକି ଭଳି ଦେଶୀ ବିଦେଶୀ ପକ୍ଷୀଙ୍କ ତଣ୍ଡା ଜଙ୍ଗଲରେ ସମାଗମ ଦେଖିବାକୁ ମିଳିଛି। ଧଳାକଳା ପୁଚ୍ଛ ଗୋଲାପୀ ରଙ୍ଗର ପକ୍ଷୀ ପେଣ୍ଟଡ୍ ଷ୍ଟ୍ରକ୍ ଗହୀରମଥା ସଂଲଗ୍ନ ତଣ୍ଡା ଝାଉଁବଣ, ଲୁଣା ହେନ୍ତାଳ ଜଙ୍ଗଲ ପାଶର୍ବ ଖାଲ ପାଟରେ ମଙ୍ଗଳବାର ଦେଖିବାକୁ ମିଳିଛନ୍ତି।
ଏମାନେ ଚୂନା ମାଛ, ଗେଣ୍ଡା, ଶାମୁକା, ଛୋଟ ଛୋଟ କଙ୍କଡ଼ା, ପୋକ ଜୋକକୁ ଖାଦ୍ୟ ଖାଇଥାନ୍ତି। ଏମାନେ ଲୁଣା ହେନ୍ତାଳ ଜଙ୍ଗଲରେ ଅଣ୍ଡା ଦେଇ ଶାବକ ହୋଇ ଉଠିବା ପର୍ଯ୍ୟନ୍ତ ଗହୀରମଥାରେ ଘୂରି ବୁଲନ୍ତି। କାରଣ ଏ ସ୍ଥାନକୁ ସେମାନେ ଖୁବ୍ ସୁରକ୍ଷିତ ମଣି ଆସିଥାନ୍ତି। ଏହି ପକ୍ଷୀ ହୁକିଟୋଲା ସଂରକ୍ଷିତ ଜଙ୍ଗଲ, ଶାସନପେଟା ଜଙ୍ଗଲ, ଲଞ୍ଚ ଘୋଲା ଦ୍ୱୀପ, ଷୋଳ ମୁହାଣ, ବାଲୁକା ବେଳାଭୂମିରେ ଅଳ୍ପ ବହୁତ ଦେଖିବାକୁ ମିଳୁଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଗହୀରମଥା ସାମୁଦ୍ରିକ ବନ ବିଭାଗର କର୍ମଚାରୀ ବିଭିନ୍ନ ସ୍ଥାନରେ ବେସ୍ କ୍ୟାମ୍ପ କରି ଜଗି ରହିଛନ୍ତି। ମହାନଦୀ ତ୍ରିକୋଣ ଭୂମି ଅବବାହିକା ଅଞ୍ଚଳ ଘଞ୍ଚ ସଂରକ୍ଷିତ ଜଙ୍ଗଲ ତଥା କଂସାରଡିଆ, ହେଟା ମୁଣ୍ଡିଆ , ଭିତର ଖରିନାସୀ, ଜମ୍ବୁ ଝାଉଁବଣ, କଣ୍ଟିଲୋ ସଂରକ୍ଷିତ ଲୁଣା ହେନ୍ତାଳ ଜଙ୍ଗଲରେ ଖୁବ୍ ନିରାପତ୍ତା ମନେକରି ଆଶ୍ରୟ ନିଅନ୍ତି ବୋଲି ପରିବେଶ ପ୍ରେମୀ ସମରେନ୍ଦ୍ର ମାହାଳୀ, ବିରଞ୍ଚତ୍ ନାରାୟଣ ଦାସ, ଲକ୍ଷ୍ମୀଧର ସ୍ବାଇଁ , ଗୌତମ ଗାୟନ ପ୍ରମୁଖ ମତବ୍ୟକ୍ତ କରିଛନ୍ତି। ଏହି ଅଞ୍ଚଳରେ ଆଗାମୀ ଦିନରେ ଅଧିକରୁ ଅଧିକ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ଅଭ୍ୟାସଗତ ପକ୍ଷୀ ଶିକାରୀମାନେ ବିଷ ଫାଶ ପ୍ରୟୋଗ ପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ କପିଳେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily

