ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

କଟକ ଅଫିସ,୨୬ା୮:କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ଚିକିତ୍ସା ପାଇଁ ଭେଷଜ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଜୟନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ୪ ଜଣିଆ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ଏଥିରେ ଭେଷଜ ବିଭାଗ ପ୍ରଫେସର ଡା. ବିଜୟ କୁମାର ବେହେରା, ପଲମୋନାରି ମେଡିସିନ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଜ୍ୟୋତି ପଟ୍ଟନାୟକ ଓ ନେଫ୍ରୋଲୋଜି ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ଅରୁଣ ଆଚାର୍ଯ୍ୟ ସାମିଲ ଅଛନ୍ତି। ଏସ୍‌ସିବି ମେଡିକାଲର ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା କହିଛନ୍ତି, ଗତ ରବିବାର କମଳା ଅସୁସ୍ଥ ହେବା ପରେ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। କିନ୍ତୁ ସେ କିଡ୍‌ନୀ ରୋଗରେ ପୀଡିତ ଥିବା ଜଣାପଡିବା ପରେ ସେଠାରୁ ବୁଧବାର ତାଙ୍କୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏଥିସହ ତାଙ୍କର ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯାଉଛି। ସବୁ ରିପୋର୍ଟ ହସ୍ତଗତ ହେବା ପରେ ଡାକ୍ତରୀ ଟିମ୍‌ ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି ଭୁବନାନନ୍ଦ କହିଛନ୍ତି।
କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ ଗୁରୁବାର ଏସ୍‌ସିବି ମେଡିକାଲରେ କମଳାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇ ଉତ୍ତମ ଚିକିତ୍ସା ଯୋଗାଇ ଦେବା ଉପରେ ମେୟର ଗୁରୁତ୍ୱାରୋପ କରିଛନ୍ତି। ସେହିପରି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମଧ୍ୟ କମଳାଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ। ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କମଳାଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହାବାଦ୍‌ ଅନେକ ବିଶିଷ୍ଟ ବ୍ୟକ୍ତି କମଳାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିବା ଜଣାପଡିଛି। ସୂଚନାଯୋଗ୍ୟ, କୋରାପୁଟ ଜିଲା ପାତ୍ରପୁଟର ବାସିନ୍ଦା କମଳା ୩୦୦ରୁ ଊର୍ଦ୍ଧ୍ୱ ପାରମ୍ପରିକ ଧାନ ବିହନ ସଂରକ୍ଷଣ କରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।