ଜି.ଉଦୟଗିରି,୬ା୮(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ସହରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ୧୯୮୦ରେ ପ୍ରତିଷ୍ଠା ହୋଇଥିବା ବେଳେ ଏଠାରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛୁ। ପୂର୍ବରୁ ଏହି କାର୍ଯ୍ୟାଳୟ ମାଧ୍ୟମରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା। ଏଠାରେ ୫ଜଣ କର୍ମଚାରୀ ନିୟୋଜିତ ଥିଲେ। କାଳକ୍ରମେ କର୍ମଚାରୀମାନେ ବଦଳି ହୋଇ ଚାଲିଗଲେ। କିଛି ବର୍ଷ ଏହି କାର୍ଯ୍ୟାଳୟ ଜଣେ ମାତ୍ର ପିଅନରେ ଚାଲିଥିଲା। ପିଅନ ଜଣଙ୍କ ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ୨ ବର୍ଷ ତଳେ ସ୍ବେଚ୍ଛାକୃତ ଅବସର ନେବା ପରେ କାର୍ଯ୍ୟାଳୟରେ ତାଲା ଝୁଲୁଛି।
ଏହି କାର୍ଯ୍ୟାଳୟରେ କର୍ମଚାରୀ ନିୟୋଜିତ କରି ପୁନଃ ଚାଲୁ କରିବାକୁ ବିଭିନ୍ନ ମହଲରେ ଦାବି ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କୁ ନିୟୋଜିତ କରାଯାଇନାହିଁ। ଜି.ଉଦୟଗିରି, ରାଇକିଆ, ଟିକାବାଲି ଏବଂ ଚକାପାଦ ବ୍ଲକ୍ ଅଞ୍ଚଳକୁ ନେଇ ଜି.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା। ଏହି ୪ଟି ବ୍ଲକର ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସୂଚନା ପାଉଥିଲେ। ବର୍ତ୍ତମାନ କିଛି କାର୍ଯ୍ୟପାଇଁ ଫୁଲବାଣୀ ମୁଖ୍ୟ କାର୍ଯ୍ୟାଳୟକୁ ଦୌଡିବାକୁ ପଡୁଛି।
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସହରର ହବାକ ହାଇସ୍କୁଲ ଖେଳ ପଡ଼ିଆ ଠାରେ ପ୍ରତ୍ୟକ ବର୍ଷ ସ୍ବାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏହା ପାଳନ ହେବା ନେଇ କୌଣସି ସମ୍ଭାବନା ନ ଥିବା ଦେଖୁବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳବାସୀ ଚଳିତ ବର୍ଷ ସ୍ବାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମ ଦେଖିବାରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି।