ମାମୁଘରୁ ମହାପ୍ରଭୁଙ୍କ ପାଇଁ ଆସିଲା ପଢ଼ୁଆଁ ଭାର

ପୁରୀ ଅଫିସ/ନିଆଳି,୧୫।୧୧(ଡି.ଏନ୍‌.ଏ.): ପ୍ରଥମାଷ୍ଟମୀ ଉପଲକ୍ଷେ ଶ୍ରୀମନ୍ଦିରକୁ ଆସିଛି ପଢ଼ୁଆଁ ଭାର । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପାଇଁ ମଙ୍ଗଳବାର ପଢ଼ୁଆଁ ଭାର ପୁରୀ ଆସିଛି। ମାମୁଘର ନିଆଳି ମାଧବାନନ୍ଦ ମନ୍ଦିରରୁ ମାଧବାନନ୍ଦ ଜୀଉ ବିକାଶ ପରିଷଦ ପକ୍ଷରୁ ଏହି ଭାର ଶ୍ରୀକ୍ଷେତ୍ରକୁ ଆସିଛି। ଭାରରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ, ନୂଆ ଲୁଗା ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି। ଏହି ପଢୁଅଁା ଭାର ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିଆଯାଇଥିଲା। ସେହିପରି ନିଆଳି ଯାଦବ ସଂଘ ପକ୍ଷରୁ ୧ଲକ୍ଷ ଆରିସା ପିଠାର ଭାର ଦିଆଯାଇଛି। ଏହି ପିଠା ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି।