ଆରମ୍ଭ ହୋଇନି ଧାନ କିଣାବିକା, ମଣ୍ଡିରେ ଧାନ ପୂରାଇଲେ ଚାଷୀ

ବରଗଡ଼/ଅତାବିରା, ୨୬।୧୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଛି। ଚାଷୀଙ୍କ କ୍ଷେତ, ଖଳା ସମେତ ବିଭିନ୍ନ ରାସ୍ତାଘାଟରେ ତାହା ପଡ଼ିରହିଛି। ଚାଷୀଙ୍କ ବାରମ୍ୱାର ଦାବି ସତ୍ତ୍ୱେ ଏପର୍ଯ୍ୟନ୍ତ ଜିଲାରେ ଧାନମଣ୍ଡି ଖୋଲିନାହିଁ। ବାରମ୍ୱାର ବାତ୍ୟା ତଥା ଲଘୁଚାପଜନିତ ବର୍ଷା ମାଡ଼ି ଆସୁଥିବା ଯୋଗୁ ଚାଷୀଙ୍କୁ ଅମଳ ଧାନର ସୁରକ୍ଷା ଏବଂ ବିକ୍ରି ଚିନ୍ତା ଘାରିଛି। ଅନ୍ୟପଟେ ଆସନ୍ତା ୩୦ରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏଭଳି ବିଳମ୍ୱିତ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ବୁଧବାର ଜିଲାର ବିଭିନ୍ନ ଧାନମଣ୍ଡିକୁ ଚାଷୀମାନେ ଅମଳ ଧାନ ବିଭିନ୍ନ ଗାଡ଼ି, ଟ୍ରାକ୍ଟର ସାହାଯ୍ୟରେ ପୂରାଇଛନ୍ତି। ଚାଷୀମାନେ ବିଭିନ୍ନ ମଣ୍ଡିରେ ପ୍ରାୟ ୨ହଜାର ବସ୍ତା ଧାନ ପୂରାଇଛନ୍ତି। ମଣ୍ଡିରେ ଧାନ ପୂରାଇ ତୁରନ୍ତ ସେହି ସବୁଧାନକୁ କିଣିବା ପାଇଁ ଦାବି କରିଛନ୍ତି। ଅନ୍ୟଥା ପ୍ରଶାସନକୁ ବଡ଼ ଚାଷୀ ଆନ୍ଦୋଳନର ସାମ୍ନା କରିବାକୁ ପଡ଼ିପାରେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
ଜିଲାରେ ଅକ୍ଟୋବର ଶେଷ ସପ୍ତାହରୁ ଧାନ ଅମଳ କାର୍ଯ୍ୟ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଚଳିତମାସ ୨୫ତାରିଖ ସୁଦ୍ଧା ଜିଲାର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବା ସହିତ ମଣ୍ଡିଗୁଡ଼ିକୁ ଖୋଲିବା ପାଇଁ ବିଭିନ୍ନ ଚାଷୀ ସଙ୍ଗଠନ ପ୍ରଶାସନ ପାଖରେ ଦାବି କରିଆସିଥିଲେ। ଏପରିକି ୨୨ତାରିଖ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକରେ ଏହି ଦାବି ଉଠିଥିଲା। କିନ୍ତୁ ସେହି ଦାବିକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ଏହାକୁ ନେଇ ସେହି ବୈଠକ ସରିବା ପରଠାରୁ ଚାଷୀ ଅସନ୍ତୋଷ କୁହୁଳୁଥିଲା। ସେହି ଅସନ୍ତୋଷର ପ୍ରତିଫଳନ ବୁଧବାର ଦେଖିବାକୁ ମିଳିଛି।
ବରଗଡ଼ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନ କଲାପାଣି ମଣ୍ଡିକୁ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ଚାଷୀନେତା ସୁରେଶ ନିକାଣ୍ଟି, ତପନ ମିଶ୍ର, ଟେକରାଜ ପ୍ରଧାନ ପ୍ରମୁଖ ପହଞ୍ଚିଥିଲେ। ସେଠାକୁ କଲାପାଣିର ସିଏଚ୍‌ ଜଗନ୍ନାଥ ରାଓଙ୍କ ୯୦ ବସ୍ତା ଏବଂ ବରାହଗୋଡ଼ର ତରଣୀ ସାହୁଙ୍କ ୧୦୦ ବସ୍ତା ଧାନ ଟ୍ରାକ୍ଟରରେ ବୋଝେଇ ଆସିବା ପରେ କଲାପାଣି ମଣ୍ଡି ଭିତରକୁ ନିଆଯାଇ ଥିଲା। ସେଠାରେ ନଡ଼ିଆ ଫଟାଇ ବିକ୍ରି ପାଇଁ ସେହି ଧାନକୁ ଗଦା କରି ରଖାଯାଇଥିଲା। ଅନୁରୂପଭାବେ ଅତାବିରା ମଣ୍ଡିରେ ମଧ୍ୟ ଗେଟ୍‌ ଭାଙ୍ଗି ଚାଷୀମାନେ ଧାନ ପୂରାଇଥିଲେ। ସେଠାରେ ବାବେବିରା କେନାଲପଡ଼ାର ଚାଷୀ ପି.ଭି.ରାଜୁଙ୍କ ୧୨୫ ବସ୍ତା ଏବଂ ଅତାବିରାର ଧୀରଜ ସାହୁଙ୍କ ୧୨୫ ବସ୍ତା ଧାନ ଗଦା କରି ରଖାଯାଇଛି। ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନର ଅତାବିରା ସଭାପତି ଭୁବନ ପ୍ରଧାନଙ୍କ ନେତୃତ୍ୱରେ ଚାଷୀନେତା ବୀରେନ୍ଦ୍ର କର, ବୁଦ୍ଧଦେବ ପ୍ରଧାନ, ଟିକେଲାଲ ମିଶ୍ର, ସୁବାସ ବିଶ୍ୱାଳ, ସଂକ୍ରାନ୍ତି ଭେଙ୍କଟେଶ୍ୱର ରାଓ, ଦଶରଥ ଭୋଇ, ବିକ୍ରମ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଧାନ ଉଠାଇବାକୁ ଦାବି କରିଥିଲେ। ସେହିପରି ଥୁଆପାଲି ଏବଂ ବାରପାହାଡ଼ କୃଷକ ସଙ୍ଗଠନ ନେତୃତ୍ୱରେ ଲଖନପୁର ମଣ୍ଡିରେ ମଧ୍ୟ ଚାଷୀମାନେ ଧାନ ପୂରାଇଥିବା ସୂଚନା ମିଳିଛି।

Share