ଜୋର୍‌ ଧରିଲା ଧାନ ଅମଳ, ବସିନି ସଂଗ୍ରହ କମିଟି ବୈଠକ

ବରଗଡ଼,୧୧।୧୧(ପ୍ରେମାନନ୍ଦ ଖମାରୀ): ସର୍ବାଧିକ ଧାନ ଅମଳ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। କିନ୍ତୁ ଧାନ ଅମଳ କରୁଥିବା ଜିଲାର ଚାଷୀଙ୍କ ଦୁଃଖ ଅସମାହିତ ରହି ଯାଇଛି। ଧାନ ସଂଗ୍ରହରେ କେବଳ ଅଭାବିବିକ୍ରି ନୁହେଁ, ଧାନ କିଣାବିକା ସମୟରେ ହଟହଟା ତଥା ବହୁବିଧ ଅସୁବିଧାର ସମ୍ମୁଖୀନ ହେବା ଜିଲାର ଚାଷୀଙ୍କ ପାଇଁ ସାଧାରଣରେ ପରିଣତ ହୋଇଯାଇଛି। ତେବେ ଏଥର ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଅନ୍ୟବର୍ଷ ତୁଳନାରେ ଅଧିକ ଜଟିଳ ହେବ ବୋଲି ଜଳଜଳ ହୋଇ ଦିଶୁଛି। ଜିଲାରେ ଧାନ ଅମଳ ଆରମ୍ଭ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଧାନକିଣା ତ ଦୂରର କଥା, ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି(ଡିଏଲପିସି)ର ବୈଠକ ବସି ନାହିଁ। ଫଳରେ ଜିଲାରେ କେବେଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ, ତାକୁ ନେଇ ଚାଷୀମାନେ ଏବେ ମଧ୍ୟ ଅନ୍ଧାରରେ ରହିଛନ୍ତି।
ସୂଚନା ଅନୁଯାୟୀ, ଜିଲାରେ ଉଭୟ ରବି ଓ ଖରିଫ୍‌ରେ ଧାନ ଫସଲ ହୋଇଥାଏ। ତେବେ ରବି ତୁଳନାରେ ଖରିଫ୍‌ରେ ଅଧିକ ଧାନ ଅମଳ ହୋଇଥାଏ। ଗତ ରବି ଧାନ ସଂଗ୍ରହ ସମୟରେ ଧାନ ବିକ୍ରିବଟାକୁ ନେଇ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପଞ୍ଜୀକରଣ ପାଇଁ ଆବେଦନ ସତ୍ତ୍ୱେ କେଉଁ ଚାଷୀଙ୍କ ଟୋକନ ଆସି ନଥିଲା ତ ଆଉ କେଉଁ ଚାଷୀଙ୍କୁ ମିଳିଥିବା ଟୋକନରେ ପଞ୍ଜୀକୃତ ଜମି ଅନୁସାରେ ବିକ୍ରିଯୋଗ୍ୟ ଧାନ ପରିମାଣ ରହି ନଥିଲା। ଫଳରେ ଜିଲାର ଚାଷୀ ସଙ୍ଗଠନ ଗୁଡ଼ିକୁ ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ିଥିଲା। ଅନ୍ୟପଟେ ଏଥର ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଯେଉଁ ସମ୍ଭାବ୍ୟ ସମସ୍ୟା ପରିଲକ୍ଷିତ ହେଉଛି, ସେଥିରୁ ଆଗାମୀ ଧାନ କିଣାବିକା ଜଟିଳରୁ ଜଟିଳତର ହେବ ବୋଲି ଅନୁମାନ କରାଯାଉଛି।
ସାଧାରଣତଃ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ନଭେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇଯାଏ। ଏହାର ଯଥେଷ୍ଟ ପୂର୍ବରୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବସୁଥିଲା ଏବଂ ସେହି ବୈଠକରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା କେବେଠାରୁ ଆରମ୍ଭ ହେବ, ତାହା ନିର୍ଦ୍ଧାରିତ ହେଉଥିଲା। କିନ୍ତୁ ଗତବର୍ଷଠାରୁ ଏହାର ବ୍ୟତିକ୍ରମ ଦେଖାଯାଇଛି। ସେତେବେଳେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ନେଇ ନୂଆପଡ଼ା ଉପନିର୍ବାଚନକୁ ଆଳ ଦେଖାଯାଇଥିଲା। କିନ୍ତୁ ଏବେ କୌଣସି ଉପନିର୍ବାଚନ ନାହିଁ। ତଥାପି ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ବିଳମ୍ବ ହେବାକୁ ନେଇ ଚାଷୀମହଲରେ ମଧ୍ୟ ଅସନ୍ତୋଷ ତେଜିବାରେ ଲାଗିଛି।
ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଅକ୍ଟୋବର ୩୦ତାରିଖ ସୁଦ୍ଧା ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ସରିଥିବା ଏବଂ ନଭେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ଜିଲାର ମଣ୍ଡି ଗୁଡ଼ିକ ଖୋଲି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାର ନଜିର ରହିଛି। ମାତ୍ର ଆଉ ୪ଦିନ ପରେ ନଭେମ୍ବର ଦ୍ୱିତୀୟ ସପ୍ତାହ ବିତିଯିବ, କିନ୍ତୁ ଧାନ କିଣାବିକା ଆରମ୍ଭ ହେବା ତ ଦୂରର କଥା, ଏପର୍ଯ୍ୟନ୍ତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ମଧ୍ୟ ବସି ନାହିଁ। ଅନ୍ୟପଟେ ଗତମାସ ୨୨ତାରିଖ ସଂଯୁକ୍ତ କୃଷକ ସଂଗଠନର ଆହ୍ବାନକ୍ରମେ ଜିଲାର ଜନ ପ୍ରତିନିଧି ଏବଂ ଚାଷୀ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ବସିଥିଲା। ବୈଠକରେ ଉପସ୍ଥିତ ଜନ ପ୍ରତିନିଧିମାନେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାରେ କିଛି ଅସୁବିଧା ହେବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ। ଚାଷୀ ପ୍ରତିନିଧିମାନେ ମଧ୍ୟ ତାକୁ ସାଦରେ ଗ୍ରହଣ କରିଛନ୍ତି। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ପରିଲକ୍ଷିତ କଲେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା କେତେ ଜଟିଳ ହେବ, ତାହା ସହଜରେ ଅନୁମେୟ।
ମିଲର୍ସଙ୍କ ଗୋଦାମ ବିଗତବର୍ଷର ଧାନ, ଚାଉଳରେ ଭର୍ତ୍ତି ହୋଇଥିବା ନେଇ ମିଲର୍ସମାନେ କହୁଛନ୍ତି। ଏ ନେଇ ସେମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ ମଧ୍ୟ କରି ସାରିଥିବା ସେମାନେ କହିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିପାରି ନାହିଁ ବୋଲି ମିଲର୍ସମାନେ କହିଛନ୍ତି। ଫଳରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଲେ ସୁଦ୍ଧା ମିଲର୍ସମାନେ ଗୋଦାମରେ ଚାଉଳ ଭର୍ତ୍ତି ପ୍ରସଙ୍ଗକୁ ପୁଣି ଉଠାଇବେ, ତାହା ଏବେଠାରୁ ଜଣାପଡୁଛି। ଏଭଳି ସ୍ଥିତିରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଏପର୍ଯ୍ୟନ୍ତ ଜିଲାର ଅଣଜଳସେଚିତ ଅଞ୍ଚଳରେ ୨୦ପ୍ରତିଶତ ଧାନ ଅମଳ ହୋଇ ସାରିଛି। ଜଳସେଚିତ ଅଞ୍ଚଳରେ ମଧ୍ୟ ଧାନ ଅମଳ ଜୋର୍‌ ଧରିଛି। ମାତ୍ର ଧାନ କିଣାବିକା ଆରମ୍ଭ ହୋଇ ନାହିଁ। ଫଳରେ ଏଥର ଚାଷୀମାନେ ଧାନବିକ୍ରିରେ ବହୁ ଅସୁବିଧାର ସମ୍ମୁଖୀନ ହେବେ, ଏହା ସ୍ପଷ୍ଟ ହୋଇଛି। କିନ୍ତୁ ଚାଷୀମାନେ ଧାନବିକ୍ରିରେ ସମସ୍ୟାର ସମ୍ମୁଖୀନ ହେଲେ, ଆନ୍ଦୋଳନ ନିଶ୍ଚିତ ବୋଲି ସେ କହିଥିଲେ। ସେହିପରି ଚାଷୀନେତା ସୁରେଶ ନିକାଣ୍ଟି କହିଛନ୍ତି, ଏପର୍ଯ୍ୟନ୍ତ ଜିଲାରେ ୩୦ ପ୍ରତିଶତ ଧାନ ଅମଳ ହାଇ ସାରିଲାଣି। ମୁଁ ମଧ୍ୟ ୨ଏକର ଧାନ ଅମଳ କରି ସାରିଛି। ବାତ୍ୟା ପ୍ରଭାବରୁ ଧାନ ଅମଳ ବିଳମ୍ବିତ ହୋଇଛି। କିନ୍ତୁ ଧାନକିଣା ବିଳମ୍ବ ହେଲେ ଚାଷୀମାନେ ଅଭାବିବିକ୍ରିର ସମ୍ମୁଖୀନ ହେବେ। ଗାଇସୀମାର ଚାଷୀନେତା ନିରଞ୍ଜନ ପ୍ରଧାନ କହିଛନ୍ତି, ଧାନକିଣା ଯେତେ ବିଳମ୍ବିତ ହେବ, ଚାଷୀମାନେ ସେତେ ଅଭାବିବିକ୍ରିର ସମ୍ମୁଖୀନ ହେବେ ଏବଂ ବେପାରୀମାନଙ୍କଠାରୁ ଶୋଷିତ ହେବେ ବୋଲି କହିଥିଲେ।

Dharitri – Odisha’s No.1 Odia Daily

Share