ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ ଚାଲିଥିବାରୁ ଜିଲାର ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ବହୁ ପରିମାଣରେ ଧାନ ପଡ଼ିଛି। ଏଭଳି ସ୍ଥିତିକୁ ନେଇ ଚାଷୀମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନବିକ୍ରି ଆଶାରେ ବାରମ୍ବାର ମଣ୍ଡିକୁ ଧାଁ ଧପଡ଼ ହୋଇ ନିରାଶରେ ଫେରୁଥିବାବେଳେ ଅମଳ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ପାରିଶ୍ରମିକ ପ୍ରଦାନରେ ଚାଷୀମାନଙ୍କୁ ହଟହଟା ହେବାକୁ ପଡ଼ୁଛି। ସେହିପରି ପରବର୍ତ୍ତୀ ଫସଲ ପାଇଁ ଚାଷୀମାନେ ନିଜକୁ ପ୍ରସ୍ତୁତ ମଧ୍ୟ କରି ପାରୁନାହାନ୍ତି। ଏଭଳିସ୍ଥଳେ ବେପାରୀମାନେ ସକ୍ରିୟ ହୋଇପଡ଼ି ଥିବାବେଳେ ବରଗଡ଼ରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଧାନ ଚାଲାଣ ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ଏଠାରେ ବର୍ତ୍ତମାନ ଧାନ କୁଇଣ୍ଟାଲ ପ୍ରତି ବୋନସ ସହିତ ସରକାରୀ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ରହିଛି। ମାତ୍ର ଜିଲାର ବେପାରୀମାନେ ଧାନ କୁଇଣ୍ଟାଲ ପ୍ରତି ୧୬୦୦ଟଙ୍କାରୁ ୧୭୦୦ ଟଙ୍କା ପର୍ଯ୍ୟନ୍ତ କିଣୁଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଆନ୍ଧ୍ରପ୍ରଦେଶରୁ ଏଠାକୁ ଆସୁଥିବା ବେପାରୀମାନେ ଧାନ କୁଇଣ୍ଟାଲ ପ୍ରତି ୨୦୦୦ଟଙ୍କାରୁ ୨୧୦୦ଟଙ୍କା ପର୍ଯ୍ୟନ୍ତ କିଣୁଥିବା କେତେକ ଚାଷୀ କହିଛନ୍ତି। ତେବେ ସେମାନେ କେବଳ ଆକାଶ ଗଙ୍ଗା କିସମର ଧାନକୁ କିଣି ଆନ୍ଧ୍ରପ୍ରଦେଶ ନେଉଥିବା ସୂଚନା ମିଳିଛି। ଆକାଶ ଗଙ୍ଗା କିସମ ବ୍ୟତୀତ ଅନ୍ୟ ଧାନ ସେମାନେ କିଣୁ ନାହାନ୍ତି। ଗୋଟିଏ ପଟେ ଜିଲାରେ ଧାନ ଉଠାଣରେ ଶୀଥିଳତା ସାଙ୍ଗକୁ ଟୋକନ ସମସ୍ୟା, ଟୋକନରେ ବିକ୍ରିଯୋଗୁ ଧାନ ପରିମାଣ କମ୍ ରହିଥିବାବେଳେ ଚାଷୀମାନେ ବଳକା ଧାନକୁ ଏଠାରେ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଜିଲାର ଚାଷୀମାନେ ବାଧ୍ୟ ହୋଇ ସେହି କିସମର ଧାନକୁ ଆନ୍ଧ୍ରପ୍ରଦେଶରୁ ଆସିଥିବା ବେପାରୀଙ୍କଠାରେ କୁଇଣ୍ଟାଲ ପ୍ରତି ୨୦୦୦ ଟଙ୍କାରୁ ୨୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରି ଦେଉଥିବା ସୂଚନା ମିଳିଛି। ଅପରପକ୍ଷେ ଏଠାରେ ଆନ୍ଧ୍ରପ୍ରଦେଶକୁ ସେଭଳି ଭାବେ ଧାନ ଚାଲାଣ ହେଉଥିବାବେଳେ ସେଥିପ୍ରତି ଜିଲା ଯୋଗାଣ ବିଭାଗ ଆଖି ବୁଜି ଦେଇଥିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।