କେନାଲରେ ୧୨ ଫୁଟର ଘାଇ: ଜମିରେ ଭାସୁଛି ରୁଆଧାନ

ସାକ୍ଷୀଗୋପାଳ,୬ା୮(ସ୍ବ.ପ୍ର.): ପୁରୀ ଜିଲା ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ଉପଖଣ୍ଡ ରୂପଦେଇପୁର ସେକ୍ସନ ଅଧୀନରେ ରହିଥିବା ସାକ୍ଷୀଗୋପାଳ ଶାଖା କେନାଲର ବାମପାର୍ଶ୍ୱ ବନ୍ଧରେ ୧୨ ଫୁଟର ଘାଇ ହୋଇଛି। ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଭାଲୁ ବଜାର ନିକଟରେ ଶନିବାର ମଧ୍ୟାହ୍ନରେ ଏହି ଘାଇ ହୋଇଥିଲା। ଫଳରେ ସାରଙ୍ଗଯୋଡ଼ି ପଞ୍ଚାୟତର ରାୟଚକ୍ରଧରପୁର, ହାଟ ସାହି, ମୁଦୁଲି ସାହି ଓ ଖୁଣ୍ଟିଆ ହରିଜନ ସାହି ଏବଂ ବିଶ୍ୱନାଥପୁର ପଞ୍ଚାୟତର ଛ’ ମାଣ ସାହି, ବାଲିସାହିପାଟଣା ଓ ଠାକୁର ମା ପାଟଣା ଗ୍ରାମ ଗହୀରରେ କେନାଲ ପାଣି ପଶି ଯିବା ଦ୍ୱାରା ଧାନ ବିଲରେ ଲହଡ଼ି ମାରୁଛି। ଫଳରେ ଅଳ୍ପ କିଛିଦିନ ପୂର୍ବରୁ ରୁଆ ଧାନକ୍ଷେତଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଉପରୋକ୍ତ ଗ୍ରାମର ଗ୍ରାମବାସୀ, କୃଷକ ଓ ଜଳ ସମ୍ପଦ ବିଭାଗ ପକ୍ଷରୁ ଜରୁରିକାଳୀନ ବନ୍ଧ ମରାମତି ଆରମ୍ଭ କରାଯାଇଛି। ଖୁବ୍‌ଶୀଘ୍ର ଏହି ଘାଇ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି l