ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ ଗ୍ରାମରେ ଜୋରସୋରରେ ଧାନ ରୁଆ ବେଉଷଣ ସାଙ୍ଗକୁ କପା ଜମିରେ ହୁଡ଼ା ଦିଆ ଆଗେଇ ଚାଲୁଥିବା ଦେଖିବାକୁ ମିଳିଛି। ତେବେ ପାୟ ୮ ଦିନ ହେଲା ଏହି ସବୁ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିଲା। କୌଣସି ସ୍ଥାନରେ ବନ୍ୟା ପବନ, ଜମିରେ ଗଛ ଉପୁଡ଼ି ପଡ଼ିଥିବା ପରିସ୍ଥିତି ଦେଖାଯାଇଥିଲା। ତେବେ ପ୍ରବଳ ବର୍ଷା ଯୋଗୁ ଧାନ ତଳି ଓ ବୁଣା ହୋଇଥିବା ଧାନ ଆଂଶିକ କ୍ଷତି ହୋଇଥିବା ଜଣାପଡ଼ିଛି। ତେବେ ୪ ଦିନ ହେଲା ପାଗରେ ପରିବର୍ତ୍ତନ ସାଙ୍ଗକୁ ଖରିଫ ଚାଷ ଆଗେଇ ଚାଲିଛି। ସେହିପରି ଧାନ ରୋଇବା ପାଇଁ କୃଷି ଶ୍ରମିକଙ୍କ ଅଭାବ ଥିବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରିଷିଡ଼ା କର୍ଲାମୁଣ୍ତା ଅଞ୍ଚଳରେ ପ୍ରାୟ ୭ ଶହ ଏକରରୁ ଊର୍ଦ୍ଧ୍ୱ ଜମିରେ ଧାନ ରୋଇବାକୁ ଥିବା ବେଳେ ଶ୍ରମିକ ଅଭାବ ଥିବାରୁ ଦୂର ଦୂରାନ୍ତ ଗାଁରୁ ଶ୍ରମିକମାନେ ଧାନ ରୋଇବା ପାଇଁ ଅଟୋ ଓ ପିକ୍ଅପ ଗାଡ଼ିରେ ଯିବା ଆସିବା କରୁଥିବା ଦେଖିବାକୁ ମିଳୁଛି। ସେହିପରି କୃଷି ବିଭାଗର କଟକଣା ଥିବାରୁ ଚାଷୀମାନେ ଆବଶ୍ୟକ ମୁତାବକ ରାସାୟନିକ ସାର ପାଇପାରୁ ନ ଥିବା ଜଣାପଡ଼ିଛି।