ବର୍ଷା ଅଭାବରୁ ଉଜୁଡ଼ିବ ଧାନଚାଷ

କୁଚିଣ୍ଡା,୭ା୮(ଡି.ଏନ.ଏ.): ଆଷାଢ଼ ଯାଇ ଶ୍ରାବଣ ମାସ ସରିବାକୁ ବସିଲାଣି। ହେଲେ ବର୍ଷାର ଦେଖା ନାହିଁ। ନିଅଣ୍ଟିଆ ବର୍ଷା ଯୋଗୁ ଚାଷକାମ ଠପ ହୋଇଯାଇଛି। ତଳି ସବୁ ପାଚି ଲାଲ ହୋଇଯାଇଥିବା ବେଳେ ବୁଣାଧାନ ମରିବା ସ୍ଥିତିରେ ପହଞ୍ଚିଛି। ଏ ହେଉଛି ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡର ବାସ୍ତବ ଚିତ୍ର। ଏଭଳି ପରିସ୍ଥିତିକୁ ନେଇ ଚାଷୀ ମହଲରେ ଭାଲେଣି ପଡିଲାଣି।

କୁଚିଣ୍ଡା ଉପଖଣ୍ଡର କୁଚିଣ୍ଡା, ବାମରା, ଜମନକିରା ବ୍ଲକ ସାଙ୍ଗକୁ କୁଚିଣ୍ଡା ଏନ୍‌ଏସିରେ ଖରିଫ ଚାଷ ଆରମ୍ଭରୁ ହିଁ ପ୍ରତିକୂଳ ସ୍ଥିତି ଦେଇ ଗତି କରୁଛି। ଉପଖଣ୍ଡରେ ଜୁଲାଇ ଶେଷ ସୁଦ୍ଧା ହେବାକୁ ଥିବା ୧୨୮୭.୧୫ମି.ମି. ସ୍ବାଭାବିକ ବର୍ଷାଠାରୁ ମାତ୍ର ୪୮୬ମି.ମି. ବର୍ଷା ହୋଇଥିବା କୃଷି ବିଭାଗ ରେକର୍ଡରୁ ଜଣାପଡିଛି। ଖରିଫ ଧାନ ଫସଲ ପାଇଁ ବ୍ୟାଙ୍କ ଓ ସମବାୟ ସଂସ୍ଥାରୁ ଚାଷୀ ଋଣ କରି ଏବେ ଚିନ୍ତାରେ ପଡିଯାଇଛି। ଧାନଚାଷ ନିମନ୍ତେ ସାର ଗଚ୍ଛିତ ରଖିଥିଲେ ମଧ୍ୟ ତାହା କାମରେ ଲାଗୁନାହିଁ।

ନଈଗୁଡିକ ଶୁଖିଲା ପଡିଥିବାରୁ ବିଭିନ୍ନ ସ୍ଥାନରେ ହୋଇଥିବା ଉଠାଜଳସେଚନ ଓ ମେଗା ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନି। ୨୦୨୧ ଖରିଫ ଋତୁରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମରୁଡି ଘୋଷଣା ହୋଇଥିଲେ ହେଁ ଏଯାବତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ମିଳି ନାହିଁ। ଚଳିତ ବର୍ଷରେ ପୁଣି ମରୁଡି ହେବାର ଆଭାସ ମିଳୁଥିଲେ ହେଁ ଫସଲବୀମା ମିଳିବା ନେଇ ଚାଷୀ ଦ୍ବନ୍ଦ୍ୱରେ ପଡିଛି।