ନଭେମ୍ବର ୩୦ରୁ ଧାନ ସଂଗ୍ରହ, କ୍ୱିଣ୍ଟାଲ ପିଛା ଚାଷୀ ପାଇବେ ଏତିକି ଟଙ୍କା…

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ଆସନ୍ତା ନଭେମ୍ବର ୩୦ରୁ ସମ୍ବଲପୁର ଜିଲାରେ ଚଳିତ ଖରିଫ ବିପଣନ ଋତୁ-୨୦୨୬-୨୭ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି(ଡିଏଲ୍‌ପିସି) ବୈଠକରେ ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଅଧ୍ୟକ୍ଷତା କରି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଗତବର୍ଷ ନଭେମ୍ବର ୨୮ରୁ ଧାନକିଣା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ସମସ୍ତ ପକ୍ଷଙ୍କ ସହ ଆଲୋଚନା ପରେ ନଭେମ୍ବର ୩୦ ତାରିଖକୁ ଧାର୍ଯ୍ୟ କରାଯାଇଛି।
ଜିଲାପାଳ ବୋନ୍ଦାର ଆହୁରି କହିଛନ୍ତି ଯେ, ଚଳିତ ଋତୁରେ ଧାନ ବିକ୍ରି କରିବା ପାଇଁ ଜିଲାର ମୋଟ ୭୨,୦୦୦ ଚାଷୀ ପଞ୍ଜୀକରଣ କରିଛନ୍ତି ଏବଂ ସେମାନଙ୍କ ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇସାରିଛି। ଜିଲାରେ ମୋଟ ୧୨୬ଟି ଧାନ ସଂଗ୍ରହ କେନ୍ଦ୍ର (ମଣ୍ଡି) ଖୋଲାଯାଇ ଧାନ କିଣାଯିବ ଏବଂ ଏହି ପ୍ରକ୍ରିୟାରେ ୪୮ଟି ମିଲର୍ସ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨,୪୪୧ ଟଙ୍କା ରହିଥିବା ବେଳେ ରାଜ୍ୟ ସରକାରଙ୍କ ଇନପୁଟ ସହାୟତା ମିଶି ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ମୋଟ ୩,୧୦୦ ଟଙ୍କା ପ୍ରଦାନ କରାଯିବ। ଚାଷୀ ପ୍ରତିନିଧି ବୈଠକରେ ଯୋଗ ଦେଇ ନ ଥିଲେ ମଧ୍ୟ ସେମାନଙ୍କ ସହିତ ଫୋନରେ ଆଲୋଚନା ହୋଇଛି। ଏହାସହ ବୈଠକରେ ଉପସ୍ଥିତ ମିଲର୍ସ ପ୍ରତିନିଧି ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସଂଗଠନ ସହ ସବିଶେଷ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲାପାଳ ସ୍ପଷ୍ଟ କରିଛନ୍ତି।
ସେହିପରି ମଣ୍ଡିରେ ଟୋକନ ଏବଂ ଟାର୍ଗେଟକୁ ନେଇ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ପ୍ରଶାସନ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯିବ ବୋଲି ଜିଲାପାଳ ଆଶ୍ୱାସନା ଦେଇଛନ୍ତି।

ସେହିପରି ଧାନ ସଂଗ୍ରହରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗ୍ରୁପ୍‌କୁ ବାଦ ଦିଆଯିବା ପ୍ରସଙ୍ଗରେ ସେ କହିଲେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ଏବଂ ସରକାରଙ୍କ ଅପରେଶନାଲ ଗାଇଡ୍‌ଲାଇନ ଆସିବା ପରେ ଏନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ସମ୍ବଲପୁର ସଦର ସମେତ ରେଢ଼ାଖୋଲ ଓ କୁଚିଣ୍ଡା ଉପଖଣ୍ଡରେ ମଧ୍ୟ ପ୍ରାୟ ସମାନ ସମୟରେ କିମ୍ବା ଦିନେ ଦୁଇ ଦିନର ବ୍ୟବଧାନରେ ଧାନ ସଂଗ୍ରହ ଆରମ୍ଭ ହେବ। ଗତବର୍ଷ ଜିଲାରେ ପ୍ରାୟ ୩୩ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ପାଖାପାଖି ସେତିକି ପରିମାଣର ଧାନ ସଂଗ୍ରହ ହେବାର ଲକ୍ଷ୍ୟ ରଖାଯାଇଛି। ବୈଠକରେ କେବଳ ଧାନ ସଂଗ୍ରହ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଆଗାମୀ ଦିନରେ ଟୋକନ ଓ ଟାର୍ଗେଟ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯିବ ବୋଲି ଜିଲାପାଳ ବୋନ୍ଦର ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share