କରୋନା ମୁକାବିଲା: ଗଞ୍ଜାମ ମଡେଲକୁ ପ୍ରଶଂସା କଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

ଛତ୍ରପୁର,୮ା୧୦(ଡି.ଏନ.ଏ.)- କୋଭିଡ୍‌-୧୯ର ସଫଳ ମୁକାବିଲା ପାଇଁ ଗଞ୍ଜାମ ମଡେଲ୍‌ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଶଂସିତ ହୋଇଛି ା ଏଥିସହ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ରିପୋର୍ଟରେ ଗଞ୍ଜାମ ମଡେଲ ସ୍ଥାନ ପାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ବ୍ୟାପକ ସ୍କ୍ରିନିଂ ଓ ଉପଯୁକ୍ତ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ଗାଁଗୁଡିକରେ କମିଟି ଗଠନ ସହ ସରପଞ୍ଚମାନଙ୍କୁ ସଶକ୍ତ କରି ଗଞ୍ଜାମ କୋଭିଡ୍‌ ପରିଚାଳନାରେ ଉକତ୍ର୍ଷ ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରିଛନ୍ତି। ସେ ଦର୍ଶାଇଛନ୍ତି, ସଂକ୍ରମଣ ପ୍ରତିହତ କରିବା ପାଇଁ ବହୁ ପଦକ୍ଷେପ ନିଆଯାଇଥିବାରୁ ଗଞ୍ଜାମ ମଡେଲକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରଶଂସା କରିଛି ା ଏ ନେଇ ଜିଲାପାଳ ଗଞ୍ଜାମ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି।