ଓଲଟିଲା ଯାତ୍ରୀବାହୀ ବସ୍‌

ପରଜଙ୍ଗ,୯ା୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ରୋନି ନାମକ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଥିଲା। ଏହି ବସ୍‌ରେ ୬୦ରୁ ଅଧିକ ଯାତ୍ରୀ ଥିବା ବେଳେ ୭ ଗୁରୁତର ହୋଇଛନ୍ତି। ବସ୍‌ଟି ରାଉରକେଲାରୁ ଯାଜପୁର ଯାଉଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିଲା।

ଗୁରୁତର ଯାତ୍ରୀମାନଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ତାଳଚେର ମଣ୍ଡାପାଳସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। କିଛି ଯାତ୍ରୀ ବାରିହାପୁର ଗ୍ରାମର ହୋଇଥିବା ବେଳେ ଅନ୍ୟମାନେ ଯାଜପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇବା ପରେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଘରେ ପହଞ୍ଚାଇବା ପାଇଁ ସ୍ଥାନୀୟ ପୋଲିସ ଉଦ୍ୟମ ଜାରି ରଖିଥିଲା।