ଓଲଟିଲା ଛେଳି ବୋଝେଇ ଟ୍ରକ୍‌, ନେଇଗଲେ ଲୋକେ…

ଭଣ୍ଡାରିପୋଖରୀ,୨୨।୯ (ଡି.ଏନ.ଏ.): ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଯାମିନିବିନ୍ଧା ନିକଟ ଆସାମ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଛେଳି ବୋଝେଇ ଟ୍ରକ୍‌ ଓଲଟି ପଡିଛି। ଏଥିରେ ୪ ଜଣ ଆହତ ହେବା ସହ ୫ ଛେଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, କଟକ ଅଭିମୁଖେ ଯାଉଥିବା ଟ୍ରକ୍‌ଟିର ଚକ ଲିକ୍‌ ହେବାରୁ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଚାଳକଙ୍କ ସମେତ ୩ଜଣ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ତେବେ ଟ୍ରକ୍‌ରେ ଥିବା ୨୩୦ ଗୋଟି ଛେଳି ମଧ୍ୟରୁ ୨୦୫ ଛେଳି ଉଦ୍ଧାର କରାଯାଇ ଅନ୍ୟ ଏକ ଗାଡ଼ି ସାହାଯ୍ୟରେ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି। ଅନ୍ୟ କେତେକ ଛେଳିଙ୍କୁ ଲୋକେ ବୋହି ନେଇଥିବା ଜଣାପଡିଛି। ପୋଲିସ ପକ୍ଷରୁ ଚୋରି ଛେଳିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।