ଓଭରଲୋଡିଂ ମୋରମ ପରିବହନ, ଦବୁଛି ରାସ୍ତା

ଯାଜପୁର ଅଫିସ,୯।୧: ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟରୁ ଅନତି ଦୂର ଯାଜପୁର ତହସିଲ ଅଧୀନ ବୈତରଣୀ ନଦୀର ଦେବୀଗୌଡ଼ା ଘାଟରୁ ମେଶିନ ଲଗାଇ ବାଲି ଉତ୍ତୋଳନ ହେଉଛି। ଏହାକୁ ପୁଣି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦେଇ ହାଇୱା ଗାଡ଼ି ଯୋଗେ ଓଭରଲୋଡିଂ ପରିବହନ ହେଉଛି। ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ବାୟୁ ପ୍ରଦୂଷଣରେ ନାହିଁ ନଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ବ୍ୟାସନଗର ତହସିଲ ଅନ୍ତର୍ଗତ ମଞ୍ଜୁରୀ ମୌଜାର ଏକ ଜଙ୍ଗଲ କିସମ ଜମିରୁ ପୋଖରୀ ଖନନ ନାମରେ ବ୍ୟାପକ ଭାବେ ମୋରମ ଉତ୍ତୋଳନ କରାଯାଉଛି। ଏହି ମୋରମକୁ ଯାଜପୁରରୋଡ ପାଣିକୋଇଲି ୨୦ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌) ଦେଇ ହାଇୱା ଗାଡିରେ ଅତିରିକ୍ତ ଡାଲା ବୃଦ୍ଧି କରି ଓଭରଲୋଡିଂ ପରିବହନ ହେଉଛି। ଏଥିଯୋଗୁ ୨୦ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଦବି ଯିବା ସହ ଏକାଧିକ ଖାଲ ସୃଷ୍ଟି ହୋଇଛି ବୋଲି ମତପ୍ରକାଶ ପାଇଛି। ପରିବହନ ସମୟରେ ରାସ୍ତାରେ ମୋରମ ପଡୁଥିବାରୁ ଅନ୍ୟ ଛୋଟ ଗାଡି ଓ ବାଇକ ଆରୋହୀଙ୍କ ପାଇଁ ବିପଦ ହେଉଛି। ଓଭରଲୋଡିଂ ତନଖି ଦାୟିତ୍ୱରେ ଥିବା ଅଧିକାରୀମାନେ ଏହି ବ୍ୟବସାୟୀମାନଙ୍କଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ନୀରବ ସାଜିଛନ୍ତି। ଏଠାରେ ପ୍ରଶାସନ ହାର ମାନି ହାତ ଟେକି ଦେଇଥିବା ଭଳି ମନେ ହୁଏ। ପରିବହନ ବିଭାଗର ନିଷ୍କ୍ରିୟତା ତଥା ଉଦାସୀନତା କାରଣରୁ ୬ଚକିଆ ଟ୍ରକଗୁଡିକ ୯.୫ ଟନ୍‌ ପରିବର୍ତ୍ତେ ୨୦ରୁ ୨୫ ଟନ୍‌ ମାଲ ପରିବହନ କରୁଥିବାବେଳେ ୧୦ଚକିଆ ଟ୍ରକଗୁଡିକ ୧୬ ଟନ୍‌ ପରିବର୍ତ୍ତେ ୪୦ ରୁ ୫୦ ଟନ, ୧୨ଚକିଆ ଟ୍ରକଗୁଡିକ ୨୦ ଟନ୍‌ ପରିବର୍ତ୍ତେ ୫୦ ରୁ ୬୦ ଟନ୍‌ ମାଲ ପରିବହନ କରୁଥିବା ଦେଖିବାକୁ ମିଳୁଛି। ୪୦୭ ମିନିଟ୍ରକଗୁଡିକ ୩ ଟନ୍‌ର ମାଲ ପରିବହନ କରିପାରିବାର ସରକାରୀ ନିୟମ ରହିଥିବାବେଳେ ଏମାନେ ୭ ରୁ ୮ ଟନ୍‌ ମାଲ ପରିବହନ କରୁଛନ୍ତି। ଓଭରଲୋଡିଂ ମାଲ ପରିବହନ କରି ଗାଡିଚାଳକ ଓ ମାଲିକମାନେ ଅଧିକ ମୁନାଫା ପାଉଥିବାବେଳେ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛି। ଏ ସଂକ୍ରାନ୍ତରେ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ ସଚିଦାନନ୍ଦ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ରୀତିମତ ଭାବେ ଚେକିଂ ଚାଲିଛି। ତଥାପି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ସୂଚାଇ ଦେଇ ଅଧିକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।