ଓଭରଲୋଡ୍‌ ସ୍କୁଲ ଗାଡ଼ିର ହେବ କଡ଼ା ଯାଞ୍ଚ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ସ୍କୁଲ ବସ୍‌ ଓ ଅଟୋରେ ଯାଉଥିବା ଛାତ୍ରୀଛାତ୍ରଙ୍କ ଓଭରଲୋଡିଂକୁ ନେଇ କଡ଼ାକଡ଼ି ଯାଞ୍ଚ କରାଯିବ। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସମସ୍ତ ଆଞ୍ଚଳିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଦିଆଯାଇଛି ଯେ, ଏପ୍ରିଲ୍‌ ୧୯ରେ ଅନୁଷ୍ଠିତ ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ସ୍କୁଲ୍‌ ପିଲାଙ୍କୁ ନେବା ଆଣିବା କରୁଥିବା ଯାନରେ ଓଭରଲୋଡିଂକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ତେଣୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସ୍କୁଲ ବସ୍‌ କିମ୍ବା ଅଟୋରେ ଛାତ୍ରୀଛାତ୍ରଙ୍କ ଓଭରଲୋଡିଂର କଡ଼ା ଯାଞ୍ଚ କରିବା ସହ ସରକାରଙ୍କୁ ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି।
ମିଳିଥିବା ସୂଚନାନୁସାରେ, ଏପ୍ରିଲ୍‌ ୨ଠରୁ ୨୪ ତାରିଖ ପର୍ଯ୍ୟନ୍ତ ନିୟମ ଉଲ୍ଲଂଘନ କରୁଥିବା ସ୍କୁଲ୍‌ ବସ୍‌ ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ କରାଯାଇଥିଲା। ନିୟମ ଖିଲାପୀ ଯାନ ବିରୋଧରେ ଚାଲାଣ କଟାଯାଇଥିଲା। ଏହି ଧରପଗଡ଼ରେ ରାଜ୍ୟର ବିଭିନ୍ନ ଜିଲାରେ ମୋଟ୍‌ ୧୨୮୮ଟି ଗାଡ଼ି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେଥିରୁ ୪୪୦ଟି ବସ୍‌ ଥିବାବେଳେ ୫୦୩ଟି ଟାଟା ମ୍ୟାଜିକ/ଭ୍ୟାନ୍‌ ଏବଂ ୩୪୫ଟି ଅଟୋରିକ୍ସା ରହିଛି। ଯାଞ୍ଚ ସମୟରେ ଧରାପଡିଥିବା ସ୍କୁଲ ଗାଡିଗୁଡିକ ମଧ୍ୟରୁ ୪୫୭ଟି ଗାଡିର ପରମିଟ୍‌ ନ ଥିବାବେଳେ ୬୭୭ଟି ଗାଡିର ଇନସ୍ୟୁରାନ୍ସ ନ ଥିଲା। ସେହିପରି ୨୮୦ଟି ଗାଡିର ପିୟୁସି ନ ଥିଲା। ୧୨୧ଟି ଗାଡିର ଟ୍ୟାକ୍ସ ଏବଂ ୩୬୮ଟି ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନ ଥିଲା। ତେବେ ରାଜ୍ୟରେ ଭୁବନେଶ୍ୱରରେ ସର୍ବାଧିକ ୨୪୩ଟି ସ୍କୁଲ ବସ ଉପରେ ଜରିମାନା ଲାଗୁ କରାଯାଇଥିଲା। ସେଥିରୁ ଆରଟିଓ-୧ ଅଧୀନରେ ୧୫୪ଟି ଏବଂ ଆର୍‌ଟିଓ-୨ ଅଧୀନରେ ୮୯ଟି ଗାଡି ରହିଛି। ସେହିପରି ବାଲେଶ୍ୱରରେ ୪୨ଟି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଖୋର୍ଦ୍ଧା ୩୭, କଟକ ୮୪, ଚଣ୍ଡିଖୋଲ ୩୮, ମୟୂରଭଞ୍ଜ ୪୬, ରାଇରଙ୍ଗପୁର ୧୦, ଭଦ୍ରକ ୨୭, ଜଗତ୍‌ସିଂହପୁର ୩୪, ନୟାଗଡ ୨୫, ପୁରୀ ୪୦, କେନ୍ଦ୍ରାପଡା ୩୬, ଯାଜପୁର ୩୫, ରାଉରକେଲା ୫୬, ଅନୁଗୋଳ ୨୩, କେନ୍ଦୁଝର ୫୦, ବଡ଼ବିଲ ୧୪, ଝାରସୁଗୁଡା ୧୪, ସମ୍ବଲପୁର ୩୭, ବରଗଡ଼ ୨୬, ତାଳଚେର ୩୯, ଢେଙ୍କାନାଳ ୩୦, ସୁନ୍ଦରଗଡ ୧୩, ବଲାଙ୍ଗୀର ୪୩, ସୋନପୁର ୧୯, ଦେବଗଡ ୧୧, ଗଞ୍ଜାମ ୨୩, ରାୟଗଡା ୧୪, କୋରାପୁଟ ୩୭, କଳାହାଣ୍ଡି ୨୫, ଫୁଲବାଣୀ ୩୩, ବୌଦ୍ଧ ୯, ଗଜପତି ୨୬, ନୂଆପଡା ୧୬, ନବରଙ୍ଗପୁର ୮, ମାଲକାନଗିରି ୨ ଏବଂ ଭଞ୍ଜନଗରରେ ୨୩ଟି ବସ୍‌ ସ୍କୁଲ ସ୍ବତନ୍ତ୍ର ଡ୍ରାଇଭରେ ଯାଞ୍ଚ ସମୟରେ ଧରାପଡ଼ିଥିଲା।